
ନୂଆଦିଲ୍ଲୀ, ୦୬ ନଭେମ୍ବର (ହି.ସ.)- ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନଙ୍କୁ କଥିତ ଭାବେ ହନୁମାନଙ୍କ ସହ ତୁଳନା କରି ମନ୍ତବ୍ୟ ଦେବା ଘଟଣାକୁ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଦାବି କରି ହୋଇଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଶ୍ୱିନୀ ପଂୱାର ଆବେଦନ ଖାରଜ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟ ଅକ୍ଟୋବର ୨୯ ତାରିଖରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ରାମନିବାସ ଶର୍ମା ଏହି ଆବେଦନ ଦାଖଲ କରିଥିଲେ।
ଶୁଣାଣି ସମୟରେ ଆବେଦନ କର୍ତାଙ୍କ ଓକିଲ ସଞ୍ଜିତ କୁମାର କହିଥିଲେ ଯେ, ସେପ୍େଟମ୍ବର ୨୩ ତାରିଖରେ କଶ୍ମୀରୀ ଗେଟ୍ ବସ୍ ଟର୍ମିନାଲ୍ରେ ଦିଲ୍ଲୀରୁ ଉତରପ୍ରଦେଶର ବଡ଼ୌତ ପର୍ଯ୍ୟନ୍ତ ଯାତାୟାତ ପାଇଁ ଡିଟିସିର ଆନ୍ତଃରାଜ୍ୟ ବସ୍ ସେବା ଆରମ୍ଭ ଅବସରରେ ରେଖା ଗୁପ୍ତା ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ହନୁମାନ ବୋଲି କହିଥିଲେ। ସଞ୍ଜିତ କୁମାର କହିଥିଲେ ଯେ, ରେଖା ଗୁପ୍ତା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପର୍କରେ କହିଥିଲେ ଯେ, ଏହି ହନୁମାନମାନେ ସେତେବେଳେ ହିଁ କଠିନ ପରିଶ୍ରମ କରନ୍ତି, ଯେତେବେଳେ ସେମାନଙ୍କ ଲାଞ୍ଜରେ ନିଆଁ ଲାଗେ। ଏହି ଅବସରରେ ଦିଲ୍ଲୀ ସରକାରଙ୍କ ବହୁ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ସହ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ।
ଆବେଦନରେ କୁହାଯାଇଥିଲା ଯେ, ରେଖା ଗୁପ୍ତାଙ୍କ ଏହି ଅଭିଭାଷଣ ବିଭିନ୍ନ ସ୍ଥାନରେ ପ୍ରକାଶିତ ମଧ୍ୟ ହୋଇଥିଲା। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୭୫(୩) ଅନୁଯାୟୀ ଏହି ଆବେଦନ ଦାଖଲ କରାଯାଇଥିଲା। ଆବେଦନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୨୩ ଅନୁଯାୟୀ ରେଖା ଗୁପ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଥିଲା।
-----------------------
ହିନ୍ଦୁସ୍ଥାନ ସମାଚାର / ଗଗନ