
ନୂଆଦିଲ୍ଲୀ, ୦୬ ନଭେମ୍ବର (ହି.ସ.)- ଶୁକ୍ରବାର ସେମିକନ୍ ଇଣ୍ଡିଆ ୨.୦ ୱେବ୍ ଆପ୍ଲିକେସନ୍ ପୋର୍ଟାଲ୍ ଉଦ୍ଘାଟନ କରାଯାଇଛି ଏବଂ ଇଲେକ୍ଟ୍ରୋନିକ୍ସ କମ୍ପୋନେଂଟସ୍ ମାନୁଫାକଚରିଂ ଯୋଜନା ଅଧୀନରେ ଅନୁମୋଦନ ପାଇଥିବା ୧୨ ଜଣ ଆବେଦନକାରୀଙ୍କ ତାଲିକା ଜାରି କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଲେକ୍ଟ୍ରୋନିକ୍ସ ଶିଳ୍ପର ସମ୍ପ୍ରସାରଣକୁ ଆତ୍ମନିର୍ଭର ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଦେଶ ପ୍ରସ୍ତୁତ ଉତ୍ପାଦଠାରୁ ମଡ୍ୟୁଲ୍, କମ୍ପୋନେଟସ ଏବଂ ପରେ କଂଚାମାଲ ଉତ୍ପାଦନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ୁଛି।
ସେମିକନ୍ ଇଣ୍ଡିଆ ୨.୦ ୱେବ୍ ଆପ୍ଲିକେସନ୍ ପୋର୍ଟାଲ୍ ସମ୍ପର୍କରେ ବୈଷ୍ଣବ କହିଛନ୍ତି ଯେ, ସରକାର ସେମିକଣ୍ଡକ୍ଟର କାର୍ଯ୍ୟକ୍ରମର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ତମ୍ଭ ଅଧୀନରେ ଆବେଦନ ଗ୍ରହଣ କରିବା ଆରମ୍ଭ କରିବେ। ଏହା ଭାରତର ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ ପରିବେଶକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ। ସେ କହିଛନ୍ତି ଯେ, ଆଜିର ଅନୁମୋଦନ ପରେ ସାରା ଦେଶରେ ଇଲେକ୍ଟ୍ରୋନିକ୍ସ କମ୍ପୋନେଟସ୍ ଉତ୍ପାଦନ ସହ ଜଡ଼ିତ ମୋଟ ୧୧୮ଟି ୟୁନିଟ୍ ସ୍ଥାପନ କରାଯାଉଛି। ଏଥିମଧ୍ୟରୁ ଅନେକ ୟୁନିଟ୍ ଦେଶର ଘରୋଇ ଚାହିଦା ପୂରଣ କରିବା ସହ ରପ୍ତାନିକୁ ମଧ୍ୟ ପ୍ରୋତ୍ସାହନ ଦେବାରେ ସକ୍ଷମ ହେବେ।
ସେ କହିଥିଲେ ଯେ, ଭାରତରେ ମୋବାଇଲ୍ ଫୋନ୍ ଉତ୍ପାଦନ ଆରମ୍ଭ ହେବା ସମୟରେ ବିରୋଧୀ ଏହାକୁ ‘ପେଚ୍-ଡ୍ରାଇଭର ଟେକ୍ନୋଲୋଜି’ କହି ଖାରଜ କରିଥିଲେ। କିନ୍ତୁ ଏବେ ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣ ପାଇଁ ଆବଶ୍ୟକ ଉପାଦାନ ସହିତ ସେଗୁଡ଼ିକର ଉତ୍ପାଦନରେ ବ୍ୟବହୃତ ସାମଗ୍ରୀ ଓ ମେସିନ୍ ମଧ୍ୟ ଉତ୍ପାଦନ କରାଯାଉଛି।
ବୈଷ୍ଣବ କହିଛନ୍ତି ଯେ, ବର୍ତମାନ ଇଲେକ୍ଟ୍ରୋନିକ୍ସ ଶିଳ୍ପ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଉଛି। ବ୍ୟାଟେରୀ ସେଲ୍, ଆନୋଡ୍ ଏବଂ କ୍ୟାଥୋଡ୍ ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନ ପାଇଁ ପୂର୍ବରୁ ଭାରତ ଅଧିକାଂଶ ଭାବେ ଗୋଟିଏ ବିଦେଶୀ ଦେଶ ଉପରେ ନିର୍ଭରଶୀଳ ଥିଲା। ଏବେ ଏଗୁଡ଼ିକର ଘରୋଇ ଉତ୍ପାଦନ ଦ୍ୱାରା ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ ପାଉଛି। ଆନୋଡ୍-କ୍ୟାଥୋଡ୍ ସାମଗ୍ରୀ, କପର୍ ଫଏଲ୍, ଫ୍ଲେକ୍ସିବଲ୍ ଏବଂ ୨୦-ଲେୟର୍ ପିସିବି, ଅପ୍ଟିକାଲ୍ ଟ୍ରାନ୍ସସିଭର, ରିଲେ ଓ କ୍ୟାପାସିଟର୍ ଭଳି ଉତ୍ପାଦ ମଧ୍ୟ ଭାରତରେ ନିର୍ମାଣ କରାଯାଉଛି।
ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଏସ୍. କୃଷ୍ଣନ କହିଛନ୍ତି ଯେ, ସେମିକନ୍ ଇଣ୍ଡିଆ ୨.୦ ଅଧୀନରେ ସେମିକଣ୍ଡକ୍ଟର ଉପକରଣ ଓ ସାମଗ୍ରୀ ସମେତ ତିନୋଟି ପ୍ରମୁଖ କ୍ଷେତ୍ରରେ ଆବେଦନ ଆମନ୍ତ୍ରଣ କରିବା ପାଇଁ ୱେବ୍ ପୋର୍ଟାଲ୍ ଆରମ୍ଭ କରାଯାଇଛି। ଏହି ଯୋଜନାକୁ ମୋଟ ୧.୨୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହ ଆରମ୍ଭ କରାଯାଇଛି। ଏହା ଅଧୀନରେ ଛଅଟି ସ୍ତମ୍ଭ ନିର୍ଦ୍ଧାରଣ କରାଯାଇଛି।
ସେ କହିଛନ୍ତି ଯେ, ଆଜି ଇଲେକ୍ଟ୍ରୋନିକ୍ସ କମ୍ପୋନେଟସ୍ ମାନୁଫାକଚରିଂ ଯୋଜନା ଅଧୀନରେ ୧୨ଟି ନୂଆ ପ୍ରକଳ୍ପ ଆରମ୍ଭ କରାଯାଉଛି। ଏଥିରେ ୭,୫୦୩ କୋଟି ଟଙ୍କାର ନିବେଶ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟରେ ଘରୋଇ କ୍ଷମତା ବିକଶିତ କରିବା।
ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ମୋଟ ୭୭,୦୫୧ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିସାରିଛି। ଉତ୍ପାଦନ ଲକ୍ଷ୍ୟ ୪.୫୬ ଲକ୍ଷ କୋଟି ଟଙ୍କାରୁ ବଢ଼ାଇ ୫.୭୩ ଲକ୍ଷ କୋଟି ଟଙ୍କା କରାଯାଇଛି। ସେହିପରି ନିଯୁକ୍ତିର ଲକ୍ଷ୍ୟ ୯୧,୬୦୦ ରହିଛି। ଏହା ତୁଳନାରେ ଏପର୍ଯ୍ୟନ୍ତ ୮୧,୭୫୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଇସିଏମ୍ଏସ୍ ଅଧୀନରେ ୧୬ଟି ରାଜ୍ୟରେ ୩୪ଟି ଉତ୍ପାଦ ସହ ଜଡ଼ିତ ୧୧୮ଟି ଆବେଦନକୁ ମଧ୍ୟ ଅନୁମୋଦନ ମିଳିଛି।
------------------------
ହିନ୍ଦୁସ୍ଥାନ ସମାଚାର / ଗଗନ