
ନୂଆପଡ଼ା,୨୩ ଫେବୃଆରୀ(ହି.ସ.) – ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ନିର୍ଦ୍ଦେଶମତେ, କୋମନା ଥାନା ଅନ୍ତର୍ଗତ ସୁନାବେଡା ଗ୍ରାମ ପଂଚାୟତର କୋଟ୍ରାବେଡା ଗ୍ରାମରେ ଆଇଆଇସି, କୋମନାଙ୍କ ପରିଚାଳନାରେ ଏକ ବିଶେଷ ସିଭିକ୍ ଆକ୍ସନ୍ କ୍ୟାମ୍ପ ଆଜି ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୁନାବେଡା ଗ୍ରାମ ପଂଚାୟତର ସରପଂଚ ଓ ନାଏବ ସରପଂଚ, ପିଏଚ୍ସି ସୁନାବେଡାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। କୋଟ୍ରାବେଡା, ସାଲେପଡା ଓ ଚିନମୁଣ୍ଡି ଗ୍ରାମର ପ୍ରାୟ ୨୦୦ ଜଣ ଗ୍ରାମବାସୀ ଏହି କ୍ୟାମ୍ପରେ ଯୋଗଦେଇଥିଲେ। ଏହି ଅବସରରେ ପୋଲିସ୍ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଖୋଲା ଆଲୋଚନା କରି ପୋଲିସ୍–ଜନସାଧାରଣ ସମ୍ପର୍କକୁ ଆହୁରି ସୁଦୃଢ କରିବା ଓ ପରସ୍ପରିକ ଆସ୍ଥା ବୃଦ୍ଧି କରିବା ବିଷୟରେ ମତବିନିମୟ କରିଥିଲେ।କ୍ୟାମ୍ପରେ ସାଇବର ଅପରାଧ ପ୍ରତିରୋଧ, ସୁରକ୍ଷିତ ଶ୍ରମିକ ପ୍ରବାସ ଗମନ ଓ ପରିବହନ, ବାଲ୍ୟ ବିବାହ ନିରୋଧ, ସଡକ ସୁରକ୍ଷା ଓ ଦୁର୍ଘଟଣା ପ୍ରତିରୋଧ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି ନୂତନ ଭାବେ ଲାଗୁ ହୋଇଥିବା ଅପରାଧିକ ଆଇନର ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ଅବସରରେ ଏକ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହୋଇ ରୋଗୀମାନଙ୍କୁ ଔଷଧ ବଂଟନ କରାଯାଇଥିଲା। ଏଥିସହିତ ଗ୍ରାମବାସୀମାନଙ୍କୁ କମ୍ବଳ, ସାଡ଼ି, ଲୁଙ୍ଗି, ଗାମୁଛା, ଟି-ଶର୍ଟ, ମଶାଦାନୀ, କ୍ରୀଡ଼ା ସାମଗ୍ରୀ(ନେଟ୍ ବଲ୍ ଓ କ୍ରିକେଟ୍ କିଟ୍) ଓ ସଙ୍ଗୀତ ଉପକରଣ ବଣ୍ଟନ କରାଯାଇଥିଲା। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ଭୁଞ୍ଜିଆ ଜନଜାତି ସମୁଦାୟର ସଦସ୍ୟମାନେ ଉତ୍ସାହପୂର୍ଣ୍ଣ ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପ୍ରତି ସନ୍ତୋଷ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ବିଶେଷ ସିଭିକ୍ ଆକ୍ସନ୍ କ୍ୟାମ୍ପ ଦୁରନ୍ତ ଆଦିବାସୀ ଅଂଚଳରେ ସମାବେଶୀ ଉନ୍ନୟନ, ସାମାଜିକ କଳ୍ୟାଣ ଓ ସମୁଦାୟମୂଖୀ ପୋଲିସିଂ ପ୍ରତି ନୂଆପଡା ଜିଲ୍ଲା ପୋଲିସ୍ର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ