

ସମ୍ବଲପୁର, ୨୪ ଫେବ୍ରୁଆରୀ (ହି.ସ.) - ଆଜି ସ୍ଥାନୀୟ ବାରେଇପାଲି ଶିଳ୍ପାଂଚଳ ସ୍ଥିତ ବୈଦ୍ୟ ବିକାଶ ହସ୍ପିଟାଲ ଠାରେ ନୂତନ ଶିଶୁ ରୋଗ ଏବଂ ନବଜାତ ୟୁନିଟ ସହ ଉଚ୍ଚ ନିର୍ଭରଶୀଳ ୟୁନିଟ କୁ ଏକ ସମାରୋହରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉଦଘାଟନ କରିଛନ୍ତି। ଏହି ୟୁନିଟ ରେ ଶିଶୁ ଓ ନବଜାତ ଶିଶୁଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଏଠାରେ ସମ୍ବଲପୁର ଓ ପାଶ୍ୱବର୍ତି ଅଂଚଳ ପାଇଁ ସହଜରେ ଉପଲବ୍ଧ ହୋଇ ପରିବ ବୋଲି ପ୍ରକାଶ କରିଥିଲେ । ଏପରି ଆଧୁନିକ ସୁବିଧା ସହିତ ଶିଶୁ ଚିକିତ୍ସା ୟୁନିଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କୁ ଆହୁରି ସୁଦୃଢ କରିବ, ବିଶେଷ କରି ଶିଶୁ ମାନଙ୍କ ପାଇଁ ଉଚ୍ଚ ନିର୍ଭରଶୀଳ ୟୁନିଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବୈଦ୍ୟ ବିକାଶ ହସ୍ପିଟାଲ୍ ର ଅଧ୍ୟକ୍ଷ ଜି ଭାସ୍କର ରାଓ ଏହି ପଦକ୍ଷେପ ଗୁରୁତର ଅସୁସ୍ଥ ନବଜାତ ଶିଶୁ ତଥା ଶିଶୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହେବ। ଶିଶୁ ମାନଙ୍କ ପାଇଁ ବିଶେଷଜ୍ଞ ଏବଂ ସମୟୋଚିତ ଯତ୍ନ ପ୍ରଦାନ କରିବା, ନବଜାତ ଶିଶୁ ରୋଗ ହ୍ରାସ କରିବା, ଜରୁରୀ କାଳୀନ ପ୍ରତିକ୍ରିୟା ଏବଂ ଗୁରୁତ୍ୱପୂର୍ଣ୍ଣ ଯତ୍ନ ସେବା କୁ ସୁଦୃଢ କରିବା ଏହି ୟୁନିଟ ସ୍ଥାପନର ଲକ୍ଷ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ ର ନିର୍ଦ୍ଦେଶକ ଅରୁଣ କୁମାର ପଟୱାରି, ନିର୍ଦ୍ଦେଶକ ଜି ରାମକୃଷ୍ଣ ଙ୍କ ସହିତ ହସ୍ପିଟାଲ୍ ର ୟୁନିଟ ମୁଖ୍ୟ ଡ଼ା.ଇ. ଉମାପତି ନାଇଡୁ, ମାନବସମ୍ବଳ ଅଧିକାରୀ ଦିଲୀପ କୁମାର, ଜିତେଶ ଅଗ୍ରୱାଲ, ସିପିଆରଓ ସଞ୍ଜୀବ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ