
କନ୍ଧମାଳ, ୨୪ ଫେବୃଆରୀ (ହି.ସ.)- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଷୋଡଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଯାଇଛି | ଉଦଘାଟନ ଦିବସରେ ବରେଣ୍ୟ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି ୧୨ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦଘାଟନ କରି, ପୁସ୍ତକର ଉପାଦେୟତା ଏବଂ ଆବଶ୍ୟକତା ବାବଦରେ, ନିଜ ଜୀବନରେ କିପରି ପୁସ୍ତକ ସହ ଜୋଡି ହୋଇଥିଲେ ସେହି ଅଭିଜ୍ଞତା ବାବଦରେ କହିଥିଲେ ଏବଂ ପୁସ୍ତକ ଈତିହାସ ଓ ସର୍ବପୁରାତନ ବିଷୟ ବସ୍ତୁ ର ଦୁରତାକୁ, ପାଠକର ଅତି ନିକଟତର କରିଦିଏ ବୋଲି କହିଥିଲେ । କରିଥିବା ବେଳେ ସନ୍ନ୍ମାନୀତ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସନ୍ତୋଷ କୁମାର ପାଢ଼ୀ, ଯୋଗ ଦେଇ ଅଭିଭାବକ ମାନେ ପିଲାମାନ ଛୋଟ ବେଳୁ ହିଁ ତାଙ୍କ ମନରେ ବହି ପଢିବା ଆଗ୍ରହ ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ନାଗରିକ ମଞ୍ଚ ର ସଭାପତି ଡଃ ଅରୁପ କୁମାର ଜେନା ଯୋଗ ଦେଇ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଷୋଡଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବର ଆୟୋଜନ ତଥା ଗତ ୩୫ ବର୍ଷ ଧରି ଅନୁଷ୍ଠାନକୁ ସାହିତ୍ୟର ପ୍ରସାର ପାଇଁ କାର୍ଯ୍ୟ କରିବା ଏବଂ ପ୍ରତିବର୍ଷ ଭବ୍ଯ ଆୟୋଜନରେ କୌଣସି ସରକାରୀ ଅନୁଦାନ ବିନା ଦିର୍ଘ ୧୨ ଦିନ ଧରି ପରିଚାଳନା କରିବା ଭଳି ପଦକ୍ଷେପକୁ ପ୍ରସଂଶା କରିଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନର ପ୍ରସଂଶା କରିଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ, ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ସଭାରେ ସଭାପତିତ୍ବ କରି କନ୍ଧମାଳର ଏକମାତ୍ର ଅନୁଷ୍ଠାନ, ପ୍ରତି ବର୍ଷ ଜିଲ୍ଲାରେ ଥିବା ସର୍ବ ବୟୋଜ୍ୟଷ୍ଠ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି, କୃତି ଛାତ୍ରଛାତ୍ରୀ, ଶ୍ରେଷ୍ଠ କ୍ରୀଡାବିତ୍, ଶ୍ରେଷ୍ଠ ସମାଜ ସେବୀ, ଶ୍ରେଷ୍ଠ କୁଟୀର ଶିଳ୍ପ ଉଦ୍ୟୋଗୀ, ଶ୍ରେଷ୍ଠ ନାରୀ ପ୍ରତିଭା, ସମାଜସେବୀ, ବିଜ୍ଞାନ ପ୍ରତିଭା, ଶ୍ରେଷ୍ଠ ପୁରୁଷ ଓ ମହିଳା ରକ୍ତଦାତା, ଶ୍ରେଷ୍ଠ ସଙ୍ଗୀତ ସାଧକ, ଶ୍ରେଷ୍ଠ ଶିକ୍ଷାବିତ୍ ସମ୍ମାନ ଭଳି ବିଭିନ୍ନ ୧୮ଟି ପ୍ରତିଭାବାନ୍ ବ୍ଯକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ନୁତନ ଓ ଯୁବ ପିଢ଼ିକୁ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମ କରୁଛି ବୋଲି କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରେଣ୍ୟ ଅତିଥି ମାନେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | କାର୍ଯ୍ୟକ୍ରମରେ ମନୋଜ ନାୟକ ଏବଂ ସାଥି ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ କାର୍ଯ୍ୟସୂଚୀ ପ୍ରକାରେ ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୭ ତାରିଖ ଯାଏ ଚାଲିବାର କାର୍ଯ୍ୟକ୍ରମ ସ୍ଥିରକୃତ ହୋଇଥିବା ଜଣାପଡିଛି | ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ୫୫ଟି ରୁ ଅଧିକ ପୁସ୍ତକ ପ୍ରକାଶକ ଓ ବିକ୍ରେତା, ବିପ୍ପଣୀ ସାମଗ୍ରୀ ସମେତ ବହୁ ପ୍ରତିଷ୍ଠିତ ସାହିତ୍ୟକ, କବି, ଯୋଗଦାନ କରିବା ସହିତ ରାଜ୍ୟର ସୁନାମଧନ୍ୟ ନୃତ୍ୟନୁଷ୍ଠାନର କଳାକାର ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ | ପ୍ରତିଦିନ ସାହିତ୍ୟ- କଳା-ସଂସ୍କୃତି ସହିତ ଓଡ଼ିଆ ଅସ୍ମିତାର ଏହି ମହା ସଙ୍ଗମ, ଭରପୁର ମନୋରଞ୍ଜନ ଯୋଗାଇବା ସହିତ ଶିକ୍ଷାପ୍ରଦ ହେବ ଓ ବର୍ଣ୍ଣାଢ୍ୟ ଦିବସ ଗୁଡିକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସ୍ୱାଦ ଚାଖିବା ସହିତ ସାହିତ୍ୟ ସନ୍ଧ୍ୟାକୁ ଲୋକେ ଭରପୁର ଉପଭୋଗ କରିପାରିବେ ବୋଲି ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁଚରଣ ଶତପଥି ସଭା ପରିଚାଳନା କରିବା ସହିତ କହିଥିଲେ | ପରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତି ଛାତ୍ରଛାତ୍ରୀ, ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଶେଷରେ ଅନୁଷ୍ଠାନର ସଂଗଠନ ସମ୍ପାଦକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ