

ମାଲକାନଗିରି, ୨୪ ଫେବୃଆରୀ (ହି.ସ.)-
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପଡିଆ - ଶିମିଳିବାଞ୍ଛା ମୁଖ୍ୟ ରାସ୍ତାରେ ଥିବା କାଲଦାପଲ୍ଲୀ ମୋଡ଼ରେ ସୋମବାର ଅପରାହ୍ନ ସମୟରେ ଏକ କାର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ସମୟରେ ଦୋରନାପାଲ ଅଞ୍ଚଳର ଦୀପକ ନାମକ ଜଣେ ଯୁବକ ତାଙ୍କର ଜଣେ ପରିଚିତଙ୍କୁ ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଅଞ୍ଚଳରେ ଛାଡି ସିଜି ୧୭ କେଡବ୍ଲୁ ୬୯୯୨ ଅଲଟୋ କାରରେ ଦ୍ରୁତ ଗତିରେ ଫେରୁଥିବା ବେଳେ କାଲଦାପଲ୍ଲୀ ଗ୍ରାମ ନିକଟସ୍ଥ ମୋଡ ଠାରେ ରାସ୍ତା କଡର ଥିବା ଗଛ ସହ ଧକ୍କା ହୋଇଥିଲା ଓ ଏଥିରେ ଯୁବକ ଜଣକ ଗୁରୁତର ହୋଇ ପଡିଥିଲେ । ଏ ବାବଦରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପଡିଆ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦୀପକଙ୍କୁ ଉଦ୍ଧାର କରି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଏ ନେଇ ସୂଚନା ପାଇ ପଡିଆ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ଉଦ୍ଧାର କରି ଯାନବାହନ ଚଳାଚଳକୁ ସ୍ଵାଭାବିକ କରିଛି। ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ