
ଚମ୍ପୁଆ, ୨୪ ଫେବ୍ରୁଆରି (ହି.ସ.) - ଖେଳକୁଦର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ବ୍ଲକ କାର୍ଯ୍ୟ ଗୁଡିକରେ ହେଉଥିବା ବ୍ୟାପକ ଅନିୟମିତତା ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେଉଁଠି ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ କରା଼ ଯାଉଥିବା ବେଳେ ଆଉ କେଉଁଠି ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ବିଧିବଦ୍ଧ ଭାବେ ଅନୁଦାନ ଟଙ୍କା ହଡପ କରି ପକେଟ ଗରମ କରୁଥିବା ଦେଖିବାକୁ ମିଳୁଥିଲେ ମଧ୍ୟ ଜାଣିଶୁଣି କର୍ତୃପକ୍ଷ ନିରବଦ୍ରଷ୍ଟା ସାଜି ଥିବା ଦେଖିବାକୁ ମିଳୁଛି । ଏହିପରି ଏକ ନିମ୍ନମାନ କାର୍ଯ୍ୟର ନଗ୍ନ ଉଦାହରଣ ପାଲଟିଛି ଭଣ୍ଡା ପଂଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ଖେଳ ପଡିଆ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ପଂଚାୟତର ଭଣ୍ଡା ଗ୍ରାମରେ ଆର୍ôଥକ ବର୍ଷ ୨୦୨୩-୨୪ରେ ପଂଚାୟତବାସୀଙ୍କ ଖେଳକୁଦର ବିକାଶ ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ନୂତନ ଖେଳ ପଡିଆ ନିର୍ମାଣ ନିମନ୍ତେ ଅଟକଳ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଏହି କାର୍ଯ୍ୟର କାର୍ଯ୍ୟାଦେଶ ଚମ୍ପୁଆ ପଂଚାୟତ ସମିତି ନାମରେ ରହିଥିବା ସୂଚନା ଫଳକରେ ଦର୍ଶା ଯାଇଛି। କାର୍ଯ୍ୟ ପାଇଁ ଲାଗିଥିବା ସୂଚନା ଫଳକ ଅଧା ଲିଭି ଯାଇଥିବାରୁ ପରିଷ୍କାର ଜଣା ପଡୁନାହିଁ। ତେବେ ଚମ୍ପୁଆ ପଂଚାୟତ ସମିତି ନିଜେ କରିଥିବା ଏହି କାର୍ଯ୍ୟରେ ଖେଳ ପଡିଆ ଭିତରେ ଆହୁରି ଅନେକ କିଛି କାମ ଅଧାପନ୍ତରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି। ପଡିଆ ଚାରି କଡରେ ପୂର୍ବରୁ ରହିଥିବା ପୁରୁଣା ପାଚେରୀ, ଗ୍ୟାଲେରୀକୁ ରଙ୍ଗ ମାରି ନୂଆ ପାଚେରୀ ସହିତ ସଂଲଗ୍ନ କରା ଯାଇଥିବା ବେଳେ ନୂତନଭାବେ ନିର୍ମାଣ କରା ଯାଇଥିବା ପାଚେରୀ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଏହି ପାଚେରୀ ନିର୍ମାଣର ଦୁଇ ବର୍ଷ ନ ପୁରୁଣୁ ପାଚେରୀ ଚାରି କଡ ଫାଟି ଆଁ କରି ସାରିଲାଣି। କୌଣସି ମୁହୂର୍ତରେ ପାଚେରୀର ଉପରଭାଗ ଧସି ପଡିଯିବାର ଭୟ ରହିଛି। ଫଳରେ ପାଚେରୀର ଦୀର୍ଘ ସ୍ଥାଇତ୍ୱକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ସିଧାସଳଖ ଅଧିକାରୀଙ୍କ ପକେଟ ଗରମ ହୋଇଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ଆଲୋଚନା ହେଉଛି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ଦେଇଥିବା ଠିକାଦାର ସହିତ ଯୋଜନାନୁସାରେ ଜେନତେନ ପ୍ରକାରେ ନିମ୍ନମାନର କାମକରି ୫୦ଲକ୍ଷ ଟଙ୍କାକୁ ଚଳୁ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦାୟିତ୍ୱରେ ଥିବା ଜେଇଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ ପୁର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta