


ବଲାଙ୍ଗିର, ୨୪ ଫେବୃଆରୀ (ହି.ସ.)- ଭାରତୀୟ ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟ ବଲାଙ୍ଗିର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଅଭିକର୍ତ୍ତାମାନଙ୍କ ଏକ ସମ୍ମିଳନୀରେ ଯୋଗଦାନ କରି ଜନସାଧାରଣଙ୍କୁ ଅଧିକରୁ ଅଧିକ ବିମାଭୁକ୍ତ କରିବା ସହିତ ଉତ୍ତମ ସେବା ପ୍ରଦାନ କରିବା ସହିତ ବିଶ୍ୱାସଭାଜନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍ତମ ବୀମା ବ୍ୟବସାୟ ସହିତ ପଲିସିଧାରକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଅଭିକର୍ତ୍ତାମାନଙ୍କୁ ସମ୍ମାନୀତ କରିଥିଲେ । ଅପରାହ୍ନରେ ଅଭିକର୍ତ୍ତା ସଂଗଠନ ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ଥାନୀୟ ଚନ୍ଦ୍ରଶେଖର ନଗର ସ୍ଥିତ ନିଗମର ଶାଖା କାର୍ଯ୍ୟାଳୟକୁ ପାଛୋଟି ଅଣାଯାଇଥିଲା । ସେଠାରେ ଗଣମାଧ୍ୟମର ପ୍ରମୁଖ ପ୍ରତିନିଧିମାନଙ୍କୁ ବିବୃତି ପ୍ରଦାନ କରି ଭାରତୀୟ ଜୀବନ ବୀମା ନିଗମ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ସହିତ ବିଶ୍ୱର ଅନ୍ୟତମ ବୃହତ ବୀମା କମ୍ପାନୀ ଭାବେ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବାରୁ ସମଗ୍ର ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମସ୍ତ ଜନସାଧାରଣଙ୍କୁ ବୀମା ସୁରକ୍ଷା ପରିସରକୁ ଆଣିବା ସହିତ ପରିପକ୍ୱତା ଓ ମୃତ୍ୟୁ ଦାବି ଜନିତ ଆର୍ଥିକ ରାଶି ପ୍ରଦାନ ଦିଗରେ ନିଗମର ଉଲ୍ଲେଖନୀୟ ଯୋଗଦାନକୁ ଲୋକ ଲୋଚନକୁ ଆଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଶିଳ୍ପ ବିହୀନ, ଅଣଜଳସେଚିତ ତଥା ଖଣିଖାଦାନ ନଥିବା ବଲାଙ୍ଗିର ଜିଲ୍ଲାରେ ନିଗମର ଶାଖା କାର୍ଯ୍ୟାଳୟ ବିଗତ ଆର୍ଥିକ ବର୍ଷରେ ଧାର୍ଯ୍ୟ ସପ୍ତସ୍ତମ୍ଭ ଲକ୍ଷ୍ୟ ହାସଲ କରି ସର୍ବ ଭାରତୀୟ ବିରଳ କୃତିତ୍ୱ ଲାଭ କରିଥିବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଅଭିକର୍ତ୍ତା, କର୍ମଚାରୀ ଓ ଅଧିକାରୀ ତଥା ସମସ୍ତ ପଲିସିଧାରକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶାଖା କାର୍ଯ୍ୟାଳୟ ଠାରେ ସମସ୍ତ ଅଧିକାରୀ, କର୍ମଚାରୀଙ୍କ ବୈଠକରେ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।
ଶ୍ରୀ ପଟ୍ଟନାୟକଙ୍କ ସହିତ ସମ୍ବଲପୁର ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ରବିନାରାୟଣ ପୁଜାରୀ, ବିପଣନ ପ୍ରବନ୍ଧକ ପ୍ରଭାତ କୁମାର ପୃଷ୍ଟି, ବିକ୍ରୟ ପ୍ରବନ୍ଧକ ଶୁଭେନ୍ଦୁ କୁଣ୍ଡୁ ପ୍ରମୁଖ ଗସ୍ତ କରିଥିବା ବେଳେ ବଲାଙ୍ଗିର ବରିଷ୍ଠ ଶାଖା ପ୍ରବନ୍ଧକ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ପ୍ରବନ୍ଧକ ସୁଧାଂଶୁ ବଳିୟାର ସିଂ, ପ୍ରଶାସନିକ ଅଧିକାରୀ ତେଜପ୍ରତାପ ଲାକ୍ରା, ବିକାଶ ଅଧିକାରୀ ସଂଗଠନର ଧିରଜ କୁମାର ତ୍ରିପାଠି, କର୍ମଚାରୀ ସଂଗଠନର ସଭାପତି ପ୍ରବିଣ କୁମାର ରଣା, ଅଭିକର୍ତ୍ତା ମହା ସଂଗଠନର ସମ୍ବଲପୁର ମଣ୍ଡଳ ସଭାପତି ଅସୀମ ପଟ୍ଟନାୟକ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶାଖାର ମହିଳା ଅଧିକାରୀ, କର୍ମଚାରୀ ଓ ଅଭିକର୍ତ୍ତା ସମୁହ ଶ୍ରୀ ପଟ୍ଟନାୟକଙ୍କୁ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ