
ଭୁବନ, ୨୪ ଫେବ୍ରୁଆରି (ହି.ସ.) - ଭୁବନର ଗ୍ରାମ ଦେବୀ ମା' କାଲୁଣୀ ଦେବୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି । ସୁବ୍ରତ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କ ପତ୍ନୀ ସୁପ୍ରଭା ସାହୁ କର୍ତା ଭାବେ ଯୋଗଦେଇଥିଲେ । ସକାଳ ୯ ଘଟିକା ସମୟରେ ଶୁଭ ଅଙ୍କୁରାରୋପଣ ପରେ ପୂର୍ବାହ୍ନ ୧୦ ଘଟିକରେ ରାମ ମନ୍ଦିର ନିକଟସ୍ଥ ବେଣାଗାଡିଆ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମା' କାଲୁଣୀ ଦେବୀଙ୍କ ପୀଠରେ ପହଂଚି ଘଟ ସ୍ଥାପନ କରିଥିଲେ । ପରେ ଶାଳା ଶୋଭନ ମଣ୍ଡଳାଦିକରଣ କରାଯାଇଥିଲା । ରାତ୍ର ସମୟରେ ଅଗ୍ନି ସ୍ଥାପନ ଓ ମୁଖ୍ୟ ଦେବୀ ଙ୍କ ପୂଜାନୀତି ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ୨୫ ତାରିଖ ସୂର୍ଯ୍ୟ ପୂଜା, ଗୋ ପୂଜନ, ଗୁରୁ ପୂଜନ,ମଣ୍ଡଳଦି ପୂଜା ଓ ମା ଙ୍କ ଷୋଡଶ ଉପଚାର ପୂଜା , ହବନ, ଚଣ୍ଡିପୂଜା ଓ ସନ୍ଧ୍ୟାରେ ସ୍ନାନଧି ବିଧି ,ଶୟନ ବିଧି ଅନୁଷ୍ଠିତ ହେବ। ୨୬ ତାରିଖ ମା' କାଲୁଣୀ ଠାକୁରାଣୀ ଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଅବସରରେ ଆଜି ମଙ୍ଗଳବାର ମା ଙ୍କ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ର ଶୁଭ ଅଧିବାସ ମଧ୍ୟ ଆରମ୍ଭ ହୋଇଛି । ତିନି ଦିନିଆ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ସ୍ଥାପନ ଓ ଅଷ୍ଟ ପ୍ରହର ନାମ ଯଜ୍ଞ ରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ବେଳେ ସୁବ୍ରତ ସାହୁଙ୍କ ସମେତ ସୋମନାଥ ମହାରଣା, ପ୍ରମୋଦ ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ଦିବାକର ବେହେରା,ନରେନ୍ଦ୍ର ବେହେରା,ରମେଶ ଚନ୍ଦ୍ର ଗୁରୁ,ଗୌରାଙ୍ଗ ଗୁରୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ