
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)-ପୂର୍ବ ତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ରେଳବାଇ ବୋର୍ଡର ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟକୁ ସଫଳତାର ସହ ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ୨୦ ଫେବୃଆରୀ ୨୦୨୬ ସୁଦ୍ଧା, ପୂର୍ବତଟ ରେଳପଥ ମୋଟ ୨୬୦.୦୨ କୋଟି ସ୍କ୍ରାପ୍ ବିକ୍ରୟ କରି ରେକର୍ଡ କରିଛି, ଯାହା ୪୦ ଦିନ ପୂର୍ବରୁ ଏହି ଲକ୍ଷ୍ୟକୁ ଅତିକ୍ରମ କରିଛି।
ଏହା ୨୦୨୪–୨୫ ମସିହାର ସମାନ ସମୟରେ ଅର୍ଜିତ ୨୦୪.୫୫ କୋଟି ଟଙ୍କା ତୁଳନାରେ ୨୭.୧୨% ଅଧିକ। ଜୋନ୍ ରେ ୧୯୦ଟି ନିଲାମ ତାରିଖ ସଫଳତାର ସହ ଆୟୋଜନ ଓ ସମନ୍ୱିତ ସାମୁହିକ ପ୍ରୟାସର ଫଳରୂପେ ଏହି ଉଲ୍ଲେଖନୀୟ ସଫଳତା ଲାଭ ହୋଇଛି। ଏହି ଉଲ୍ଲେଖନୀୟ ସଫଳତା, ସମ୍ପଦର ସଦବ୍ୟବହାର, ଆର୍ôଥକ ସଂୟମ ଏବଂ ସମ୍ପତିର ଦକ୍ଷ ପରିଚାଳନା ପ୍ରତି ଏହି ଜୋନର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସୁଚାରୁ ଯୋଜନା, ପାରଦର୍ଶୀ ଇ-ନିଲାମ ପ୍ରକ୍ରିୟା, ସ୍କ୍ରାପ୍ ସାମଗ୍ରୀର ବ୍ୟବସ୍ଥିତ ଚିହ୍ନଟ ଓ ପୃଥକୀକରଣ ଏବଂସମସ୍ତ ବିଭାଗ ଓ ମଣ୍ଡଳମାନଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହି ଲକ୍ଷ୍ୟ ଅର୍ଜନ କରାଯାଇଛି।
ସମୟୋପଯୁକ୍ତ ନିଷ୍କାସନକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳବାଇ ୨୦୧୩ ମସିହାରୁ ଏହାର ସମର୍ପିତ ଭାରତୀୟ ରେଳବାଇ ଇ-ପ୍ରୋକ୍ୟୁରମେଂଟ ସିଷ୍ଟମ ପୋର୍ଟାଲ୍ ମାଧ୍ୟମରେ ଇ-ନିଲାମ ପରିଚାଳନା କରୁଛି। ଏହି ପୋର୍ଟାଲରେ ୮୯୦୦ରୁ ଅଧିକ ପଞ୍ଜୀକୃତ ବିକ୍ରେତା ଥିବାରୁ ନିଲାମ ପ୍ରକ୍ରିୟା ସ୍ୱଚ୍ଛ, ପ୍ରତିସ୍ପର୍ଧୀମୂଳକ ଓ କାର୍ଯ୍ୟକୁଶଳ ଭାବେ ସମ୍ପନ୍ନ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା