
ପୁରୀ, ୨୪ ଫେବୃଆରୀ (ହି.ସ.)-
ରାଜ୍ଯ ସରକାରଙ୍କ ନିଷ୍ପତ୍ତି ଓ ଅନୁମୋଦନ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ. ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ରାଜ୍ଯ ସରକାରଙ୍କ ଏସଓପି ଅନୁମୋଦନକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥିଲା । ଏହି ଏସଓପି ଉଚ୍ଚସ୍ତରୀୟ କମିଟି, ବିଧି ସବକମିଟି ଓ ଆଜି ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ଏହି ଏସଓପିକୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ସମୀକ୍ଷା କରିଥିଲେ । ପରିଚାଳନା କମିଟି ମାହେନ୍ଦ୍ର
ବେଳା ଓ ତିଥି ନକ୍ଷତ୍ର ଓ ତାରିଖ ଠିକ୍ ହେବା ପରେ ଗଣତି ମଣତି ଆରମ୍ଭ ହେବ ବୋଲି ମୁଖ୍ଯ ପ୍ରଶାସକ ଶ୍ରୀ ପାଢୀ କହିଥିଲେ । ଗଣତି ମଣତି ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯିବ । ଗଣତି ମଣତିରେ ଦୁଇଟି ଟିମ୍ ସୁପରଭାଇଜିଙ୍ଗ ଓ ହାଣ୍ଡଲିଙ୍ଗ ଟିମ୍ କାର୍ଯ୍ୟ କରିବେ । ଦୁଇଟି ଟିମ୍ ରେ ମୁଖ୍ଯ ପ୍ରଶାସକ ରହିବେ । ମୁଖ୍ଯ ପ୍ରଶାସକଙ୍କ ଅନୁପସ୍ଥିତିରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ତଦାରଖ କରିବେ । ମୁଖ୍ଯ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ । ସୁପରଭାଇଜିଙ୍ଗ ଟିମ୍ ରେ ତିନି ଜଣ ସଭ୍ଯ ରହିବେ । ହାଣ୍ଡଲିଙ୍ଗ ଟିମ୍ ରେ ରାଜ୍ଯ ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ ରହିବେ । ହାଇଲେବୁଲ କମିଟିର ଅଧ୍ୟକ୍ଷ ଓ ଦଳପତି ହିସାବରେ କାର୍ଯ୍ୟ କରିବେ । ପରିଚାଳନା କମିଟିର ପାଞ୍ଚ ଜଣ ସେବକ ମଧ୍ଯରୁ ଜଣେ, ଭଣ୍ଡାର ମେକାପ, ଚଢ଼ାଉକରଣ, ବଣିଆ ସେବକ ରହିବେ । ଏସବିଆଇ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥିରୁ ଦୁଇ ଜଣ ରହିବେ । ଅଳଙ୍କାର ଚିହ୍ନିବାକୁ ଜଣେ ବଣିଆ ରହିବେ । ଆରବିଆଇରୁ ଜଣେ କର୍ମଚାରୀ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତିମଣତି ସମୟରେ ସାମିଲ କରାଯିବ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ହ୍ୟାଣ୍ଡେଲିଂ ଟିମ୍ ରୁ ୧୦ ଜଣ ରହିବେ। ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଚାହିଁଲେ ରହିପାରିବେ। ୧୯୭୮ ମସିହାରେ ୭୨ ଦିନ ଗଣତିମଣତି ତାଲିକା ସହ ୧୯୮୨, ୧୯୯୫ ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି କରାଯିବ ଏବଂ ଶେଷରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଭିତର ରତ୍ନଭଣ୍ଡାରର ଚାବି ପ୍ରତ୍ୟକ ଦିନ ଗଣତିମଣତି ପରେ ଟ୍ରେଜେରୀରେ ଜମା ହେବ ଓ ପୁର୍ନବାର ଗଣତିମଣତି ସମୟରେ ଆସିବ। ସମସ୍ତେ ଗୋପନୀୟତା ବଜାୟ ରଖିବେ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତିମଣତି ହେବ। ଗଣତିମଣତି ପରେ ଅଳଙ୍କାର ସବୁ ଅଲଗା ଅଲଗା ପ୍ରସ୍ତୁତ ସିନ୍ଧୁକରେ ରହିବ, ଗଣତି ମଣତି ସମୟରେ ସିସିଟିଭି ବ୍ୟବସ୍ଥା କରାଯିବ। ଗଣତିମଣତିର ତାଲିକାକୁ ପରିଚାଳନା କମିଟିକୁ ପ୍ରଦାନ କରାଯିବ ଓ ପରେ ରାଜ୍ୟ ସରକାରଙ୍କୁ ପଠାଯିବ। ଗଣତିମଣତି ସମୟରେ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ। କେବଳ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ସେବାପୂଜା କରିବେ। ବିଶେଷ ଦିନ ମାନଙ୍କରେ ଗଣତିମଣତି ବନ୍ଦ ରହିବ। ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଜଣାପଡିବ କେଉଁ ତାରିଖ ଓ ଶୁଭ ମୂହୁର୍ତ୍ତରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ।
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ, ପରିଚାଳନା କମିଟିର ସଦସ୍ଯ ଓ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ