
ମାଲକାନଗିରି, ୨୪ ଫେବୃଆରୀ (ହି.ସ.)-
ଜଣେ ଆଞ୍ଚଳିକ ସାଧନ କର୍ମୀଙ୍କର ବ୍ୟବହାର, ଆଚରଣ ଓ ଉଚ୍ଚାରଣରେ ଅତିଷ୍ଠ ହୋଇ ପଞ୍ଚାୟତର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ କସିଗୁଡା କ୍ଲଷ୍ଟରର ଆଞ୍ଚଳିକ ସାଧନ କର୍ମୀ ନିହାର ରଞ୍ଜନ ଦାସଙ୍କ ନାମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଗୁରୁତର ଅଭିଯୋଗ କରାଯାଇ ଆସୁଅଛି। ବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ ସହଯୋଗ ପାଇଁ କୌଣସି ପରାମର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ମାଗିଲେ ଶ୍ରୀ ଦାସ କୌଣସି ସହଯୋଗ କରନ୍ତି ନାହିଁ। କୌଣସି ସରକାରୀ ଚିଠି ତଥା ନିର୍ଦ୍ଦେଶନାମା ବିଷୟରେ ସହାୟତା କିମ୍ବା ପରାମର୍ଶ ନଦେଇ ତୁମେମାନେ କ'ଣ ମୂର୍ଖ କି ନିଜେ ପଢ଼ି କି ବୁଝ ବୋଲି କୁହନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଛୁଟିରେ ରହିଲେ ପଇସା ମାଗନ୍ତି ନ ଦେଲେ ଦରମା ବନ୍ଦ କରିବାର ଭୟ ଦେଖାନ୍ତି। ଶ୍ରୀ ଦାସ ବିଦ୍ୟାଳୟ ପରିଦର୍ଶନକୁ ଖୁବ୍ କମ୍ ଯାଆନ୍ତି ଏବଂ ନିଜ ଘରେ ଆଣି ଅଫିସ କାଗଜପତ୍ର ଦେବାକୁ କୁହନ୍ତି ଯାହାକି ସରକାରୀ ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ ଅଟେ। ସେ ଆଞ୍ଚଳିକ ସାଧନ କେନ୍ଦ୍ରରେ ନରହି ପ୍ରାୟ ୪୦ କି.ମି. ଦୂର ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣିରେ ରହି ହୁକୁମାତି କରନ୍ତି। ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନ ଗୁଡିକର ବିନିଯୋଗ ପ୍ରମାଣ ପତ୍ରରେ ଦସ୍ତଖତ ପାଇଁ ପଇସା ମାଗନ୍ତି। ଯେଉଁ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ପଇସା ଦିଅନ୍ତି ନାହିଁ ତାଙ୍କର ବିନିଯୋଗ ପ୍ରମାଣପତ୍ରରେ ଦସ୍ତଖତ ନ କରି ବିଭିନ୍ନ ପ୍ରକାରରେ ହଇରାଣ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଗୁଡିକୁ ବିଭିନ୍ନ ଅନୁଦାନ ବିନିଯୋଗ ପାଇଁ ଆସିଥିବା ଅର୍ଥରେ କିଛି ନିର୍ଦ୍ଦିଷ୍ଟ ଦୋକାନରୁ କିଣିବା ପାଇଁ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାପ ପକାନ୍ତି ଏବଂ ଯେଉଁମାନେ କିଣନ୍ତି ନାହିଁ ସେମାନଙ୍କୁ ଅସୁବିଧାରେ ପକାଇବା ପାଇଁ ଭୟ ଦେଖାନ୍ତି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋ ପକେଟ୍ ରେ ଅଛନ୍ତି । କେହି ମୋର କିଛି କରି ପାରିବେ ନାହିଁ ବୋଲି ଧମକ ଦେଉଥିବା ଅଭିଯୋଗ ହେଉଛି।
ଉପରୋକ୍ତ ଗୁରୁତର ଅଭିଯୋଗ ଗୁଡିକ ଶ୍ରୀ ଦାସଙ୍କ ନାମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦେବା ପରେ ଅଭିଯୋଗର ସତ୍ୟାସତ୍ୟ ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଦନ୍ତ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିଵା ପରିତାପର ବିଷୟ। ଇତିମଧ୍ୟରେ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କୁ କିଆଙ୍ଗ ପଞ୍ଚାୟତର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗତ ଛଅ ମାସ ମଧ୍ୟରେ ଦୁଇ ଥର ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ଦାସଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷ ଦେଖାଯାଇଛି।
ମିଳିଥିବା ଖବର ଅନୁସାରେ, ସିଆରସିସି ପାଇଁ କୁଆଡେ କେହି ଶିକ୍ଷକ ଶିକ୍ଷୟିତ୍ରୀ ଅନିଚ୍ଛୁକ ଥିବାରୁ ଏହାର ଫାଇଦା ଶ୍ରୀ ଦାସ ଉଠାଉଛନ୍ତି। ତଥ୍ୟ ମୁତାବକ କୌଣସି ମାମଲା ବିଚାରଧୀନ ଥିଲେ ସେ ସିଆରସିସି ପଦବୀରେ ଅବସ୍ଥାପିତ ହେବା କଥା ନୁହେଁ । ଶିକ୍ଷକତା ସମୟରେ ଶ୍ରୀ ଦାସ କର୍ତ୍ତବ୍ୟରେ ଅବହେଳା ପାଇଁ ଦରମା ବନ୍ଦ ରହିବା ପରେ ତାହା ମିଳିବା ଓ ନିୟମିତ ସମୟରେ କିଛି ଦିନ ବାଦ୍ ପଡିବା ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟରେ ମାମଲା ରହିଥିଲେ ହେଁ କିପରି ସିଆରସିସିରେ ରହିଲେ ତାହା ତଦନ୍ତ ସାପେକ୍ଷ । ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ