ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶା ଓ ସମିତି ସଦସ୍ୟା ପୁରସ୍କୃତ
Health Committee Annual Conference
ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶା ଓ ସମିତି ସଦସ୍ୟା ପୁରସ୍କୃତ


ଝାରସୁଗୁଡ଼ା,୨୫ ଫେବୃଆରୀ(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବେହେରାମାଲ ସ୍ଥିତ ଏମ.ସି.ଏଲ ଅଡିଟୋରିୟମଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ମାନଙ୍କର ଏକ ବିଶାଳ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମକୁ ଏହି ସଦସ୍ୟାମାନଙ୍କର ଅବଦାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ସ୍ୱାଗତ ଭାଷଣ ସହ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଏବଂ ଜିଲ୍ଲାର ସ୍ୱାସ୍ଥ୍ୟ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମିଳନୀରେ ଉପସ୍ଥିତ ଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ), ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଂଟ୍ରୋଲ୍), ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଂଚାଇବା ପାଇଁ ଆଶା ଏବଂ ବିଭିନ୍ନ ସମିତିର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ସମ୍ମିଳନୀର ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ଶ୍ରେଷ୍ଠ ଆଶା କର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ଗୁଡ଼ିକୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହା ସହିତ ଆଶା କର୍ମୀ ଏବଂ ସମିତିର ସଦସ୍ୟାମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ ଶିକ୍ଷଣୀୟ ତଥା ମନୋରଞ୍ଜନଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହାୟକ ପରିଚାଳକ (ଗୋଷ୍ଠୀ ପ୍ରକ୍ରିୟା) ଜିତେନ୍ଦ୍ର କୁମାର ପାଲ ଏବଂ ସହାୟକ ପରିଚାଳକ (ସହରୀ ସ୍ୱାସ୍ଥ୍ୟ) ଶୁଭକାନ୍ତ ପଣ୍ଡା, ସହାୟକ ପରିଚାଳକ ସୋମଦତ ପୁରୋହିତ ଏବଂ ସ୍ୱେଜଲ ପ୍ରଧାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ହିସାବ ରକ୍ଷକ ପରିଚାଳକ ସମୀର ରଞ୍ଜନ ନାୟକ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande