
ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳ ରୁ ଉଭୟ ବଲାଙ୍ଗୀର - ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡି ବାକୁ କୁଟାସିଂହା-କପାଶିରା ମଧ୍ୟ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରାକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକ ରେ ଉଲ୍ଲେଖ ରହିଥିଲା। ହେଲେ ୬ ମାସ ପୂ୍ୱର୍ ରୁ ଗତ ୨୦୨୩ ଅଗଷ୍ଟ ମାସରୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମ ଅସମ୍ପୂର୍ଣ କରି କୌଣସି କାରଣରୁ ଛୁ ମାରିଛି। ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗୁନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଉପାନ୍ତ ଅଂଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ କାମ ବାକି ରହିଛି। ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି। ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସୋନପୂର୍ ଜିଲ୍ଲାର ଜନ ସାଧାରଣ ଉପକୃତ ହେବେ। ବିଶେଷ କରି ସଲେଭଟା, ପଟୁଆପାଲି, ଜୋଗିସର୍ଡା, ବାଦିବା ହାଲ, ମୂର୍ସୁନ୍ଧି, କପଶିରା, ଜୁଲୁଣ୍ଡା, ଲଛିପୂର ଦିଗ୍ସିରା ଗ୍ରାମ ପଂଚାୟତର ସ୍ଥାନୀୟ ଲୋକ ଙ୍କ ଗମନାଗମନରେ ସୁବିଧା ହେବ। ଏ ଅଂଚଳର ଜଣ ସାଧାରଣ,ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କ, ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି। ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଅଧୁରା ରହିଯିବ କି ଅଙ୍ଗନଦୀ ସେତୁ ବୋଲି ଲୋକଙ୍କ ମଧ୍ୟ୍ୟରେ ଆଶଙ୍କା ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ