ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ
ନୂଆପଡ଼ା,୨୫ ଫେବୃଆରୀ(ହି.ସ.) – ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଓ ଅନ୍ତଃବିଭାଗ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Jilla unnayana samiti baithak


ନୂଆପଡ଼ା,୨୫ ଫେବୃଆରୀ(ହି.ସ.) – ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଓ ଅନ୍ତଃବିଭାଗ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ଏପିଡି. କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପେପରଲେସ୍ କାର୍ଯ୍ୟ ପ୍ରଣାଳୀ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଓସ୍ୱାସ୍ ମାଧ୍ୟମରେ ଅନଲାଇନ ଫାଇଲ ଓ ସମସ୍ତ ଚିଠିପତ୍ର ଆଦାନ ପ୍ରଦାନ ନିଶ୍ଚିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପ ନିର୍ଦ୍ଦେଶକ, ପରିସଂଖ୍ୟାନ ଡିଲେଶ୍ୱର ଧରୁଆ ବିଗତ ମାସର ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ବିଗତ ମାସରେ ଉନ୍ନୟନ କାର୍ଯ୍ୟରେ ଥିବା ବାଧା, ବିସଂଗତି ଓ ସେଗୁଡ଼ିକର ସମାଧାନ ଏବଂ ପ୍ରତ୍ୟେକ ବିଭାଗର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବୈଠକରେ ପର୍ଯ୍ୟଟନ ବିଭାଗ ଦ୍ୱାରା ତିଖାଲି ଡ୍ୟାମ, ଗୋଧସ ଜଳପ୍ରପାତ, ପତୋରା ଡେମ, ପାତାଳଗଙ୍ଗା, ବୁଦ୍ଧି କୋମନାର ଉନ୍ନତି କରଣର ଆଲୋଚନା ହୋଇଥିଲା କ୍ଷ ଜିଲ୍ଲା ସଂସ୍କୃତି ଭବନ, ଟାଉନ୍ ହଲ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା। ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନୂଆପଡ଼ା ସହରର ରାଜପଥର ଉଭୟ ପାର୍ଶ୍ୱରେ ପେଭର ବ୍ଲକ୍ ଓ ଡ୍ରେନ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା କରିବାକୁ କହିଥିଲେ। ଜିଲ୍ଲାର ଚାକିରୀ ଆଶାୟୀ ଯୁବା ବର୍ଗଙ୍କୁ ପ୍ରଶାସନିକ, ବ୍ୟାଙ୍କିଂ, ଏସ୍‌ଏସ୍ସି ଓ ଅନ୍ୟାନ୍ୟ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଯୋଗ୍ୟ ଆଶାୟୀଙ୍କୁ ଚୟନ ପୂର୍ବକ ଶୀଘ୍ର ତାଲିମ ଆରମ୍ଭ କରିବାକୁ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଳସେଚନ, ପଂଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ରାସ୍ତା ଓ ଗୃହନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପ୍ରାଣୀ ସମ୍ପଦ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ଖଣି ଓ ପର୍ଯ୍ୟଟନ, ବିଜ୍ଞାପିତ ଅଂଚଳ ପରିଷଦ ସମେତ ସମସ୍ତ ବିଭାଗର କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ତହସିଲଦାରମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଖେଳ ପଡିଆମାନଙ୍କୁ ଜମି ପଟ୍ଟା ଯୋଗାଇବା ସହ ନୂତନ କୋଠା ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବୟୋ ବନ୍ଦନା କାର୍ଯ୍ୟକ୍ରମକୁ ଶୀଘ୍ର ଆଗେଇ ନେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଜିଲ୍ଲାରୁ ଅବୈଧ ବାଲି ଓ ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ କଠୋର ପଦକ୍ଷେପ ନେବା ପାଇଁ ଖଣି ଅଧିକାରୀ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ସହିତ କାର୍ଯ୍ୟକରି ଜିଲ୍ଲାକୁ ପ୍ରଗତି ପଥରେ ଦୃତ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande