
କନ୍ଧମାଳ,୨୫ ଫେବୃଆରୀ(ହି.ସ.) – କନ୍ଧମାଳ ଜିଲ୍ଲା ରେ କେକେବିଏନ ମାଓ ସଂଗଠନର ପ୍ରାୟ ୨୫ ଜଣ ମାଓବାଦୀଙ୍କ ସ୍ଥିତି ବର୍ତମାନ ସଙ୍ଗୀନ ହୋଇପଡିଛି। ସେମାନେ ଏବେ ନା ସଂଗଠନରେ ସୁରକ୍ଷିତ ଅଛନ୍ତି ନା ସଂଗଠନ ଛାଡିଲେ ଜୀବନ ରକ୍ଷା କରି ପାରିବେ। ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେମାନଙ୍କ ଭିତରେ। କେନ୍ଦ୍ର ସରକାରଙ୍କ ଟାର୍ଗେଟ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବା ଥିବା ଯୋଗୁଁ ପୋଲିସ୍ ବାହିନୀ ପୁରା ଦମ୍ ରେ କୁମ୍ବିଙ୍ଗ ଅପରେସନ ଓ ଏନକାଉଣ୍ଟର ଚଲାଇଛନ୍ତି। ଫଳରେ ଟପ୍ ମାଓ ନେତା ଗଣେଶ ସମେତ ଅନେକ କ୍ୟାଡରର ନେତା ମୃତ୍ୟୁବରଣ କରିଛନ୍ତି। ଏଥିପାଇଁ ଅଧିକାଂଶ ପୁରୁଷ ଓ ମହିଳା ମାଓବାଦୀ ଆତ୍ମସମର୍ପଣ କରି ସରକାରଙ୍କ ଦ୍ୱାରା ରହିଥିବା ସମସ୍ତ ମାଓ ଥଇଥାନ ଯୋଜନାର ଲାଭ ନେଇ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହିଭଳି ସ୍ଥିତିରେ ସଂଗଠନରେ ଥିବା ଅଧିକାଂଶ ମାଓବାଦୀ ଆତ୍ମସମର୍ପଣର ରାସ୍ତା ଆପଣେଇବା ପାଇଁ ମନସ୍ଥ କରୁଛନ୍ତି। ହେଲେ ବର୍ତମାନ ସ୍ଥିତିରେ ସେମାନଙ୍କ ପାଇଁ ସେହି ରାସ୍ତା ମଧ୍ୟ କଠିନ ହୋଇପଡିଛି। ଗତ ଜାନୁୟାରୀ ମାସ ୨୮ ତାରିଖରେ କନ୍ଧମାଳରେ ସକ୍ରିୟ ଥିବା ୨୫ ଜଣିଆ ମାଓବାଦୀଙ୍କ ମଧ୍ୟରୁ କମ୍ରେଡ ଅନ୍ୱେଷ(୩୧) (ପ୍ଲାଟୁନ କମାଣ୍ଡର) ସଂଗଠନ ଦୁର୍ବଳ ହେବା ଓ ତୁହାକୁ ତୁହା କୁମ୍ବିଙ୍ଗ ଅପରେସନ ଯୋଗୁଁ ଆତ୍ମ ସମର୍ପଣ କରିବା ପାଇଁ ମାଓ ନେତା ଶୁକ୍ରୁ ଆଗରେ ଇଛା ପ୍ରକାଶ କରିଥିଲେ। ହେଲେ ଗତ ୨୯ ଜାନୁଆରୀରେ ଶୁକ୍ରୁ ଓ ଶୀଲା ଏବଂ ଆଉ ଦୁଇଜଣ ମାଓବାଦୀ ମିଶି ଅନ୍ୱେଷକୁ ହତ୍ୟା କରିବା ପରେ ତାର ମୃତ ଦେହକୁ ପୋତି ଦେଇଥିଲେ। ଆଜି କନ୍ଧମାଳ ଏସପି ଶ୍ରୀ ହରିଶ ବିଶି ଗଣମାଧ୍ୟମକୁ ଏହି ସୁଚନା ଦେଇଛନ୍ତି। ଖବର ପାଇ ପୋଲିସ୍ ଅନ୍ୱେଷ ର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଏହି ସଂକ୍ରାନ୍ତରେ ଏକ ମାମଲା ୫୮/୨୦୨୬ ରୁଜୁ କରି ତଦନ୍ତ ଚଳାଇ ଥିବା କହିଛନ୍ତି ଏସପି ଶ୍ରୀ ହରିଶ ବିଶି। ହେଲେ ବର୍ତମାନ୍ ମାଓବାଦୀ ମାନଙ୍କ ପାଇଁ ଏଣେ ରହିଲେ ମଲେ ତେଣେ ରହିଲେ ମଲେ ଭଳି ସ୍ଥିତି ଉପୁଜିଛି। ତେବେ ପୋଲିସ ପକ୍ଷରୁ ସେମାନେ କିପରି ଆତ୍ମ ସମର୍ପଣ କରି ସମସ୍ତ ସରକାରୀ ସୁବିଧା ନେଇ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଦିଗରେ ସହାୟକ ହେବା ଦିଗରେ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଥିଲେ ଶ୍ରୀ ହରିଶ ବିଶି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ