


ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର-ପାଟଣାଗଡ ରାସ୍ତାର ଜ୍ୟୋତିନଗର ଠାରେ ଦୀର୍ଘବର୍ଷ ଧରି ଚାଲିଥିବା ଖ୍ରୀଷ୍ଟିଆନ ମିଶନାରୀଙ୍କ ପରିଚାଳିତ ହସପିଟାଲକୁ ଆଜି ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଛି। ତେବେ ଏହି ଭଙ୍ଗାଭଙ୍ଗିକୁ ବଲାଙ୍ଗୀର ବିଜେଡିଦଳ ତୀବ୍ରବିରୋଧ କରିବା ସହିତ ହୋହଲ୍ଲାକରି ତହସିଲଦାରଙ୍କୁ ସେଠାରୁ ଫେରାଇ ଦେଇଥିବା ଜଣାପଡିଛି। ଆଜି ଦିନ ୧୨ଟାରେ ସମୟରେ ବଲାଙ୍ଗୀର ତହସିଲଦାର ଲଗ୍ନଜିତ ବେହେରା ତାଙ୍କ ଟିମ ସହିତ ଦୁଇଟି ବୁଲଡୋଜର ନେଇ ଜ୍ୟୋତିନଗରସ୍ଥିତ ମିଶନ ହସପିଟାଲ ତଥା ବର୍ତମାନ ସୁପ୍ରିମଟାକ୍ସ ହସପିଟାଲର କିଛି ଅଂଶକୁ ଭଙ୍ଗାଇଥିଲେ। ଏହାକୁ ଖ୍ରୀଷ୍ଟାନ କମ୍ୟୁନିଟି ପକ୍ଷରୁ ବିରୋଧ କରାଯାଇଥିଲା। ପରେ ପରେ ବିଜେଡିଦଳର ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ବିଜେଡି ନଗର ସଭାପତି ଶମ୍ଭୁ ନାଗଙ୍କ ନେତୃତ୍ୱରେ ଏକ ପ୍ରତତିନିଧିଦଳ ପହଂଚି ପ୍ରଶାସନକୁ ବାରଣ କରିଥିଲେ। ଫଳରେ ଭଙ୍ଗାଭଙ୍ଗି ବନ୍ଦ ହୋଇଥିଲା। ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ବିଜେଡିଦଳ ପକ୍ଷରୁ ମିଶନ ହସପିଟାଲ ଭଙ୍ଗାଭଙ୍ଗିକୁ ବିରୋଧ କରାଯାଇଛି। ବିଧାୟକ କଳିକେଶଙ୍କ ସହିତ ଆଲୋଚନା ପରେ ଯାଇ ଯାହା କିଛି ହେବ ବୋଲି ପୌରାଧ୍ୟକ୍ଷା ତହସିଲଦାରଙ୍କୁ କହିଥିଲେ। ତେବେ ତହସିଲଦାର କହିଛନ୍ତି ଯେ, ମିଶନର ବିଶଫଙ୍କ ନାମରେ ୫ଏକର ଜମି ରହିଛି। କିନ୍ତୁ ଯେଉଁପଟେ ଭଙ୍ଗାଯାଉଛି ସେହି ଅଂଶ ପ୍ରାୟ ଦେଢଏକର ଜମିକୁ ମିଶନ ଜବରଦଖଲ କରିଛି। ତାକୁ ଏବେ ଖାଲି କରାଯାଉଛି । ସେପଟେ ଖ୍ରୀଷ୍ଟିଆନ କମ୍ୟୁନିଟି ପକ୍ଷରୁ କୁହାଯାଇଛି ଯେ,ଦୀର୍ଘ ୩୦ବର୍ଷ ହେଲା ଏଠାରେ ମିଶନାରୀମାନଙ୍କ ପକ୍ଷରୁ ହସପିଟାଲ ଖୋଲି ଲୋକଙ୍କୁ ସେବା ଯୋଗାଇ ଦିଆଯାଇ ଆସୁଛି। ଏଠାରେ ପ୍ରଖ୍ୟାତ ଚକ୍ଷୁବିଶେଷଜ୍ଞ ସ୍ୱର୍ଗତ ଡ.ଦଳଗଞ୍ଜନ ସୁନା ହଜାର ହଜାର ଲୋକଙ୍କୁ ଚକ୍ଷୁଚିକିତ୍ସା ସେବା ଯୋଗାଇ ଦେଉଥିଲେ। ସେହିଦିନଠାରୁ ଏହି ଅନୁଷ୍ଠାନ ସୁଚାରୁରୂପେ ପରିଚାଳିତ ହେଉଛି। ଗତ କିଛିବର୍ଷ ହେଲା ଏଠାରେ ସୁପ୍ରିମଟାକ୍ସ ଅନୁଷ୍ଠାନ ହସପିଟାଲ ସହିତ ଏକ ନର୍ସିଂତାଲିମ ଅନୁଷ୍ଠାନ ଚଳାଉଛି। ସେହି ନର୍ସିଂକଲେଜର ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ ଏବେ ପ୍ରଶାସନ ବୁଡୋଜର ଲଗାଇ ଭାଙ୍ଗିଦେଇଛି। ତହସିଲଦାର ଯେଉଁଦିନ ଜବରଦଖଲ ହଟାଇବାକୁ ନୋଟିସକଲେ ସେହିଦିନଠାରୁ ଆମେ କୋର୍ଟର ଦ୍ୱାରସ୍ଥ ହୋଇଛୁ। ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ତହସିଲଦାରଙ୍କ ସହ ଆଲୋଚନା କରାଯାଇଛି। କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ପ୍ରଶାସନ ବେଆଇନ ଭାବରେ ବୁଡୋଜର ଲଗାଇ ଭାଙ୍ଗିଛି। ଏହାକୁ ଆମେ ତୀବ୍ରନୀନ୍ଦା କରୁଛୁ ବୋଲି ସମ୍ବଲପୁର ଡାଇଓସିସର ପ୍ରତିନିଧି କହିଛନ୍ତି। ଖ୍ରୀଷ୍ଟିଆନମାନଙ୍କୁ ଶାନ୍ତିରେ ବଂଚିବା ଓ ଧର୍ମପାଳନ କରିବାକୁ ଦିଆଯାଉ ବୋଲି ସମ୍ବଲପୁର ଡାଇଓସିସର ବିଶଫ ଇମାନୁଆଲ ଦାନୀ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ