
ଝାରସୁଗୁଡ଼ା,୨୫ ଫେବୃଆରୀ(ହି.ସ.) – ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁର ପ୍ରତିରୋଧ ଏବଂ ଏହାର ନିରାକରଣ ପାଇଁ ପ୍ରସ୍ତୁତି ସ୍ୱରୂପ ଝାରସୁଗୁଡ଼ା ବନାଂଚଳ, ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ କାତିକେଲା ଗ୍ରାମଠାରେ ଜିଲ୍ଲାସ୍ତରୀୟ ‘ଜଙ୍ଗଲ ନିଆଁ ସଚେତନତା ସଭା ଏବଂ ମକ୍ ଡ୍ରିଲ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ସମ୍ପଦକୁ ଅଗ୍ନି ଦାଉରୁ ରକ୍ଷା କରିବା ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ କିପରି ତୁରନ୍ତ ଆୟତ କରାଯିବ ଏବଂ ବିଭିନ୍ନ ପ୍ରକାରର ଉଦ୍ଧାର କାର୍ଯ୍ୟ କୌଶଳ ସମ୍ପର୍କରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା। ଏହାସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାତିକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ନିଆଁର ଭୟାବହତା ଏବଂ ଏହାର ପ୍ରତିକାର ସମ୍ପର୍କରେ ସଚେତନତା ବାର୍ତା ପରିବେଷଣ କରିଥିଲେ। ବିଜୟ କୁମାର ପ୍ରଦାନ, ବନାଂଚଳ ଅଧିକାରୀ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଥିସହ କାର୍ଯ୍ୟକ୍ରମରେ କାତିକେଲା ନାଏବ ସରପଂଚ, କେନ୍ଦୁପତ୍ର ବିଭାଗର କର୍ମଚାରୀ, ଝାରସୁଗୁଡ଼ା ରେଞ୍ଜର ବନ କର୍ମଚାରୀ, ଅଗ୍ନିଶମ ବାହିନୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବନ ସଂରକ୍ଷଣ ସମିତିର ସଦସ୍ୟ ଏବଂ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଜଙ୍ଗଲର ସୁରକ୍ଷା ପାଇଁ ଗୋଷ୍ଠୀଗତ ସହଭାଗିତା ଏକାନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଝାରସୁଗୁଡ଼ା ବନାଂଚଳ, ଝାରସୁଗୁଡ଼ା ବନଖଣ୍ଡର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ