
ନୂଆପଡ଼ା,୨୫ ଫେବୃଆରୀ(ହି.ସ.) – ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସାଂସଦ ୨୦୨୬ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଜରୁରୀ କାଳୀନ ସମୟର ପଚାଶ ବର୍ଷ -ଭାରତୀୟ ଲୋକତନ୍ତ୍ର ପାଇଁ ଶିକ୍ଷା ବିଷୟରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାର ୮ଟି ଡିଗ୍ରୀ କଲେଜର ଦୁଇ ଶହ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଜରୁରୀ ପରିସ୍ଥିତି ଗଣତନ୍ତ୍ର ପାଇଁ କ୍ଷତିକାରକ ଥିଲା ଓ ଆଗାମୀ ଦିନରେ ଏହାର ପୁନରାବୃତି ନହେବା ସହ ବିକଶିତ ଭାରତର ଲକ୍ଷ୍ୟ ଉପରେ ଛାତ୍ରଛାତ୍ରୀମାନେ ମତ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଦଶ ଜଣ ମନୋନୀତ ହୋଇ ଆଗାମୀ ଦିନରେ ଓଡ଼ିଶା ବିଧାନସଭାରେ ନିଜର ମତ ରଖିବେ। ରାଜ୍ୟର ପ୍ରତ୍ୟେକ ଜିଲାର ଦଶ ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଭାଗ ନେବେ। ଏଭଳି ନିଆରା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ନେତୃତ୍ୱ ନେବାରେ ଉତ୍ସାହିତ କରିବ ଓ ବିକଶିତ ଭାରତ ଗଠନରେ ସହାୟକ ହୋଇ ପାରିବ ବୋଲି ସମସ୍ତେ କହିଥିଲେ। ଆଜିର କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ଜଗମୋହନ ମେହେର, ଡଃ.ଫଣିନ୍ଦମ ସିଂହଦେଓ, ସାମ୍ବାଦିକ ଅଜିତ କୁମାର ପଣ୍ଡା, ଅଧ୍ୟାପକ ଡଃ. ପ୍ରତାପ ଦାସ, ଜାତୀୟ ସେବା ଯୋଜନା ଜିଲ୍ଲା ସଂଯୋଜିକା ପ୍ରଣତି ପଣ୍ଡା, ଯୁକ୍ତ ଦୁଇ ଅଧ୍ୟକ୍ଷ ରଣବୀର ସିଂ, ଛାତ୍ର କଲ୍ୟାଣ ବୋର୍ଡ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ସୁନିଲ କୁମାର ପାଢ଼ୀ, ସୁରଞ୍ଜନ ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ