
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)-ସାଇବର ଅପରାଧ ଉପରେ
ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି।
ରାଜ୍ୟ ଆରକ୍ଷୀ
ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର
ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ
ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ
ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୧୧୧୫୫ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ
କରାଯାଇଥିବା ବେଳେ ୪୮୦ଟି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ସାଇବର ମାମଲା,
ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୧୧ଟି,
ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୧୮ଟି ଏବଂ ୯ଟି ନକଲି
ସିମ୍/PoS ସମ୍ପର୍କିତ ମାମଲା ରୁଜୁ
କରାଯାଇଛି। ଏହାସହ ୨୩୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ନୂଆ ଓ ପୁରୁଣା ୧୨୧ଟି ଏଫ୍.ଆଇ.ଆର୍
ସହ ସଂପୃକ୍ତ ୩୦୫୯ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ଏହି ଅଭିଯାନରେ କଟକ ଜିଲ୍ଲା
ପୋଲିସ ୫୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୧୦ଜଣଙ୍କୁ ଆଇନଗତ ନୋଟିସ୍
ଜାରି କରିଛି। ସେହିପରି ଜଗତସିଂହପୁର ଜିଲ୍ଲା ପୋଲିସ ୧୦୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି
ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୧୦ଜଣଙ୍କୁ ନୋଟିସ୍ ଜାରି କରିଛି।
ଯାଜପୁର ଜିଲ୍ଲା ପୋଲିସ ୫୮ଟି,
କେନ୍ଦ୍ରାପଡ଼ା ୧୭୫ଟି,
ଖୋର୍ଦ୍ଧା ୧୧୮ଟି, ପୁରୀ ୪୪ଟି, ବଲାଙ୍ଗିର ୩୪ଟି,
ଝାରସୁଗୁଡ଼ା ୧୮୮ଟି,
ସୁବର୍ଣ୍ଣପୁର ୬ଟି, କେନ୍ଦୁଝର ୫୨ଟି, ରାଉରକେଲା ୧୩୦ଟି,
ସୁନ୍ଦରଗଡ଼ ୧୫ଟି, ବାଲେଶ୍ୱର ୩୧୦ଟି, କଟକ (ୟୁପିଡି)
୨ଟି, ଗଞ୍ଜାମ ୮୫ଟି, କନ୍ଧମାଳ ୧୧ଟି,
ଦେବଗଡ଼ ୧୦୫ଟି, ନୂଆପଡ଼ା ୨୨ଟି ଏବଂ ରାୟଗଡ଼ା ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ସମ୍ପୃକ୍ତ ମାମଲା ରୁଜୁ,
ଗିରଫ ଓ ଆଇନଗତ ନୋଟିସ୍ ଜାରି କରିଛନ୍ତି।
ସେହିପରି ନୟାଗଡ଼,
ସମ୍ବଲପୁର, ଭଦ୍ରକ, ମୟୂରଭଞ୍ଜ,
ବ୍ରହ୍ମପୁର, ବୌଦ୍ଧ, ଢେଙ୍କାନାଳ,
କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ
ନବରଙ୍ଗପୁର ଜିଲ୍ଲା ପୋଲିସ ପୁରୁଣା ଏଫ୍.ଆଇ.ଆର୍ ସହ ସଂପୃକ୍ତ ବେନାମୀ ଆକାଉଣ୍ଟ ଯାଞ୍ଚ କରି
ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟବାସୀଙ୍କ ଡିଜିଟାଲ
କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ
ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ
ଖୁରାନିଆ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା