



ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ଗୁରୁବାର ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସଭାପତିତ୍ୱରେ ଏକାଦଶ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଉପାଧ୍ୟକ୍ଷା ମିଥିଳା ମାଝି, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କ ସମେତ ଜିଲ୍ଲାପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷ୍ୟା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାହୁ ବୈଠକରେ ସମସ୍ତଙ୍କୁ ସ୍ଵାଗତ କରି, ଉନ୍ନୟନ ଓ ଲୋକାଭିମୁଖୀ ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ସମନ୍ୱୟରେ କାମ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରାଥମିକ ଓ ଗଣଶିକ୍ଷା ବିଭାଗ ସମ୍ପର୍କରେ ଖାଲି ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ, ଶିକ୍ଷକ ସ୍ଥିତି ଓ ବିଦ୍ୟାଳୟର ଭିତ୍ତିଭୂମି ଉପରେ ଆଲୋଚନା ହୋଇଥିଲା। ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଭତ୍ତା ଓ ସହାୟତା ପ୍ରଦାନ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ମନୋନିବେଶ କରାଯାଇଥିଲା । କୃଷି ବିଭାଗ ଦ୍ୱାରା ଚଳିତ ରବି ଚାଷ ସମ୍ପର୍କିତ ବ୍ୟବସ୍ଥା ଓ ସମସ୍ୟା, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ପାଇପ ଜଳ ପ୍ରକଳ୍ପର ଅଗ୍ରଗତି, ଅଚଳ ନଳକୂପ ମରାମତି ଓ ନୂତନ ନଳକୂପ ଖୋନନ ଉପରେ ବିଶେଷ ଆଲୋଚନା ହୋଇଥିଲା । ଅଙ୍ଗନବାଡି ଗୃହ ନିର୍ମାଣ ସମ୍ପର୍କରେ ସଂପୂର୍ଣ୍ଣ ହୋଇଥିବା ଗୃହକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଓ ଅସଂପୂର୍ଣ୍ଣ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷକ ସ୍ଥିତି, ଛାତ୍ରାବାସ ପରିଚାଳନା ଓ ନୂତନ ଛାତ୍ରାବାସ ଅଗ୍ରଗତି ଉପରେ ମନୋନିବେଶ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କରେ ସିଏଚସି ଓ ପିଏଚସିରେ ନୂତନ କୋଠା ନିର୍ମାଣ, ଡାକ୍ତରଙ୍କ ସ୍ଥିତି ଓ ଚିକିତ୍ସା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏହା ସହିତ ଉଠା ଜଳ ସେଚନ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତା ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲା ପରିଷଦ ବୈଠକ ଉପଯୁକ୍ତ ସମୟରେ ଅନୁଷ୍ଠିତ ହେବା, ଜିଲ୍ଲା ପରିଷଦର ବିଭିନ୍ନ ସବ କମିଟି ଗୁଡିକର ବୈଠକ ନିୟମିତ ବ୍ୟବଧାନରେ ଆୟୋଜନ କରିବା ସହ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ର ଅଧ୍ୟକ୍ଷ, ଅଧ୍ୟକ୍ଷ୍ୟା ମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ