
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀଙ୍କୁ ପରିବାର ଜଣଙ୍କୁ ଅନୁମୋଦନ ମୂଳକ ନିଯୁକ୍ତି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୧୭୭୧ତା. ୪.୪.୨୦୨୫ ରିଖରେ ନିର୍ଦ୍ଧେଶନାମା ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପତ୍ର ସଂଖ୍ୟା ୧୪୩୨୭ ତା. ୪.୦୩.୨୦୧୭ ରିଖ ନିୟମାବଳୀ ଅନୁସାରେ କାଉଁସିଲିଂ ପ୍ରକ୍ରିୟାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ୪୦ ଜଣଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର ଆୟର ଉକ୍ତ ୪୦ ଜଣଙ୍କୁ ନିଯୁକ୍ତି ପତ୍ର ବଂଟନ କରିଥିଲେ। ସମଗ୍ର ରାଜ୍ୟରେ ଜିଲାରେ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରିବାରେ କେନ୍ଦ୍ରାପଡ଼ା ଜିଲ୍ଲା ସର୍ବାଧିକ ଭାବେ ପରିଗଣିତ ହୋଇଛି। ଜିଲ୍ଲାପାଳ ନିଯୁକ୍ତି ପତ୍ର ବଂଟନ କରିବା ସହ ସମସ୍ତଙ୍କୁ ଶୁଭ କାମନା ଜ୍ଞାପନ କରି ନିଜ ନିଜ କାମରେ ସାଧୁତା ଓ ନିଷ୍ଠାବାନ ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ନିଯୁକ୍ତି ପତ୍ର ବଂଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ମଣ୍ଡଳ ଅଧିକାରୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ ପ୍ରମୁଖ ଯୋଗ ଦେଇଥିଲେ। ନିଯୁକ୍ତି ପତ୍ର ପାଇଥିବା ବ୍ୟକ୍ତିମାନେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି