
ଜୟପୁର, ୨୬ ଫେବୃଆରୀ (ହି.ସ.)-ବୋରିଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଆୟୋଜିତ ଋଣ ମେଳା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଚେକ୍ ବିତରଣ କରିଥିଲେ।ତାଙ୍କ ଅଭିଭାଷଣରେ ବିଧାୟକ କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀମାନେ ଗ୍ରାମୀଣ ଅର୍ଥନୀତିର ମୂଳ ଶକ୍ତି ଏବଂ ମହିଳା ସଶକ୍ତିକରଣର ଭିତ୍ତିସ୍ଥମ୍ଭ। ଏପରି ଋଣ ସହାୟତା ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇ ନିଜ ଜୀବିକାର ବିକାଶ କରିପାରିବେ ଓ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ସେ ସମସ୍ତ ଗୋଷ୍ଠୀ ସଦସ୍ୟାଙ୍କୁ ଏହି ଋଣର ସଠିକ୍ ଓ ଉନ୍ନତିମୂଳକ ବ୍ୟବହାର କରି ଆତ୍ମନିର୍ଭର ହେବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ, ବ୍ୟାଙ୍କ କର୍ମକର୍ତ୍ତାମାନେ ଏବଂ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି