
ଚମ୍ପୁଆ, ୨୬ ଫେବ୍ରୁଆରି (ହି.ସ.) - ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସରକାରଙ୍କ ଯୋଜନା ଉପରେ ଯୋଜନା ପାଇଖାନା ଗୃହରେ ବନ୍ଦୀ। ଏହା କେବଳ ଗ୍ରାମୀଣ ଅବ୍ୟବସ୍ଥା ନୁହେଁ, ଏହା ଚମ୍ପୁଆ ପ୍ରଶାସନିକ ବିଫଳତାର ପଟ୍ଟ ଚିତ୍ରକୁ ପଦାରେ ପକାଇଛି। ଚମ୍ପୁଆର ବଡ଼ ବଡ଼ିଆ ଅଧିକାରୀ ଅଫିସ ଭିତରେ ଏ ସି ହାୱା ଖାଉଥିବା ବେଳେ ସାଧାରଣ ମୌଳିକ ସୁବିଧାରୁ ବଂଚିତ ହୋଇ ଜଣେ ମା' ପାଇଖାନା ଗୃହରେ ଜୀବନ ବିତାଉଥିବା ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଜ୍ୟୋତିପୁର ପଂଚାୟତ ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ। ଜ୍ୟୋତିପୁର ଗ୍ରାମର ସ୍ୱର୍ଗତ ସନ୍ତୋଷ ବେହେରାଙ୍କ ସ୍ତ୍ରୀ ପତି ବେହେରା (ବୟସ ୫୧)। କୁଲି ମଜୁରୀ କରି ଦୁଇ ପରାଣୀ କୌଣସି ମତେ ଚଳି ଯାଉଥିଲେ, ହେଲେ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ସେ ଏକୁଟିଆ ହୋଇ ଯାଇଥିଲେ। ପୂର୍ବରୁ ଥିବା ଝାଟି ମାଟି ଘରଟି ପୁନର୍ବାର ସଜାଡିବାକୁ ଅଂଟାରେ ବଳ ନ ଥିବାରୁ ତାହା ଧୀରେ ଧୀରେ ଭାଙ୍ଗି ପଡିଥିଲା। ସରକାରୀ ଯୋଜନାରେ ହୋଇଥିବା ପାଇଖାନା ଗୃହ ହିଁ ଥିଲା ପତି ବେହେରାଙ୍କ ଏକ ମାତ୍ର ଭରସା। ସେଇ ଦିନଠାରୁ ବର୍ଷ ବର୍ଷ ଧରି ପତି ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜି ରହି ଆସୁଥିଲେ ମଧ୍ୟ ତାଙ୍କ ପ୍ରତି ଚମ୍ପୁଆ ପ୍ରଶାସନର କୌଣସି ଅଧିକାରୀଙ୍କ ଦୃଷ୍ଟି ପଡି ପାରି ନ ଥିଲା। ତାଙ୍କୁ ନା ମିଳୁଛି ବିଧବା ଭତା, ନା ମିଳୁଛି ସୁଭଦ୍ରା ଯୋଜନା। ସରକାରଙ୍କ ଯୋଜନା ଉପରେ ଯୋଜନା ସବୁ ସତେ ଯେମିତି ତାଙ୍କ ପାଇଁ ସାତ ସପନ। ଏପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଡେ ମଧ୍ୟ ମିଳି ପାରି ନାହିଁ ଯାହା ଫଳରେ ସେ ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଂଚିଥିଲେ ଓ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମସ୍ତ କଥା ବୁଝାବୁଝି କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଆଗାମୀ ଦିନରେ ସରକାରୀ ସୁବିଧା ଯେପରି ତାଙ୍କ ପାଖରେ ପହଞ୍ଚିବ ତାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ନିଃସହାୟ ମହିଳାଙ୍କ ପ୍ରତି ଚମ୍ପୁଆ ପ୍ରଶାସନ ଏତେ ନଜର ଅନ୍ଦାଜ କରିବା କାରଣ କଣ ? ଏଠି କଣ ଥିଲାବାଲା ସବୁ ଯୋଜନାରେ ଭାଗିଦାର ଆଉ ନ ଥିଲା ବାଲା ପେଟରେ ଓଦା କନାଦେଇ ପାଇଖାନା ଭିତରେ ଶୋଇବେ? ତେବେ କାହା ଅବହେଳା ପାଇଁ ଆଜି ପତି ବେହେରାଙ୍କ ପରି ଜଣେ ଅସହାୟ ମହିଳା ସରକାରଙ୍କ ସବୁ ଯୋଜନାରୁ ବଂଚିତ ହୋଇ ପାଇଖାନା ଗୃହରେ ଆଶ୍ରୟ ନେଇଛନ୍ତି। ତେଣୁ ତା ଉପରେ ପ୍ରଶାସନ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଅନ୍ତ୍ୟୋର୍ଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ କରି ୩୫ କେଜି ଚାଉଳ, ବିଧବା ଭତା, ସୁଭଦ୍ରା ଯୋଜନାରେ ସାମିଲ କରି ଯୋଜନାର ସମସ୍ତ ପ୍ରାପ୍ୟ, ପରିବାର ମଙ୍ଗଳ ଯୋଜନାର ଅର୍ଥରାଶି ଆଦି ଯୋଜନାର ପ୍ରାପ୍ୟ ପ୍ରଦାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta