ଶିବଶକ୍ତି ଏଂଟରପ୍ରାଇଜେସକୁ ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଗ୍ରାମବାସୀଙ୍କ ଅଭିଯୋଗର ଅଢେଇ ମାସ ପରେ ପ୍ରଦୂଷଣ ବିଭାଗର କାର୍ଯ୍ୟାନୁଷ୍ଠାନ
Demand to close shiv shakti enterprises
ଶିବଶକ୍ତି ଏଂଟରପ୍ରାଇଜେସକୁ ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଗ୍ରାମବାସୀଙ୍କ ଅଭିଯୋଗର ଅଢେଇ ମାସ ପରେ ପ୍ରଦୂଷଣ ବିଭାଗର କାର୍ଯ୍ୟାନୁଷ୍ଠାନ


ଝାରସୁଗୁଡ଼ା, ୨୬ ଫେବ୍ରୁଆରି (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ହିର୍ମା ଗ୍ରାମ ପଂଚାୟତ ଅଧୀନ କୁକୁରଜଙ୍ଘା ଗ୍ରାମରେ ଅବସ୍ଥିତ “ଶିବଶକ୍ତି ଏଂଟରପ୍ରାଇଜେସ” ନାମକ କୋଇଲା ଭିତିକ ସ୍ଲାଗ୍ କ୍ରସର ୟୁନିଟ୍ ବିରୋଧରେ ଶେଷକେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ କମ୍ପାନୀକୁ ସମସ୍ତ ଯନ୍ତ୍ରପାତି ବନ୍ଦ ରଖିବା ସହ ୭ ଦିନ ମଧ୍ୟରେ କାହିଁକି ସଂପୂର୍ଣ୍ଣ ବନ୍ଦ କରାଯିବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସୂଚନାନୁସାରେ, ଗତ ଡିସେମ୍ବର ୧ ତାରିଖରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି କାରଖାନାଟିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ। ତେବେ ଏକ ମାସ ଅତିବାହିତ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଇଥିବାରୁ ଗତ ଜାନୁଆରୀ ୨୦ ତାରିଖରେ ଗ୍ରାମବାସୀମାନେ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ଚାହିଁ ଆବେଦନ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ଅଭିଯୋଗ ପତ୍ରକୁ ଝାରସୁଗୁଡ଼ା ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ପ୍ରେରଣ କରିଥିଲା।

ଚଳିତ ମାସ ୨୧ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଏକ ଅଧିକାରୀ ଦଳ କାରଖାନାରେ ପହଂଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଦେଖିବାକୁ ପାଇଥିଲେ। ଏହାସହ ସିଟିଓ ଓ ସିଟିଇ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଜାଣିପାରିଥିଲେ ।

କମ୍ପାନୀଟି କୁକୁରଜଙ୍ଘା ଗ୍ରାମର ମାଉସୀମା ମନ୍ଦିର ସମ୍ମୁଖରେ ଓ ଜନବସତିଠାରୁ ପ୍ରାୟ ୨୦୦ ମିଟର ଦୂରରେ ଅବସ୍ଥିତ। କୋଇଲା ବ୍ୟବହାର କରି କ୍ରସର ଚଳାଯାଉଥିବାରୁ ବିଭିନ୍ନ ପ୍ରକାର ଧୂଳିକଣା ଉଡ଼ି ପରିବେଶକୁ ଦୂଷିତ କରୁଛି। ଏହା ସହିତ ଶବ୍ଦ ପ୍ରଦୂଷଣ ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଥିଲେ।

ପ୍ରଦୂଷଣ ବିଭାଗ ପକ୍ଷରୁ ଜଳ ପ୍ରଦୂଷଣ ନିରୋଧକ ଆଇନର ଧାରା ୨୫ ଓ ୨୬ ଏବଂ ବାୟୁ ପ୍ରଦୂଷଣ ନିରୋଧକ ଆଇନର ଧାରା ୨୧ ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରାଯାଇଛି। ଏହି ପରିସ୍ଥିତିରେ ୨୩ ତାରିଖରେ କମ୍ପାନୀ କର୍ତୃପକ୍ଷଙ୍କୁ ପତ୍ର ଲେଖି ୭ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ହିରଣ୍ୟ ନାଏକଙ୍କ ସହ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ କଲ୍ ଗ୍ରହଣ ନ କରିବାରୁ ମତାମତ ମିଳି ପାରିନାହିଁ। ଗ୍ରାମବାସୀମାନେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ସହ କାରଖାନାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande