
ଝାରସୁଗୁଡ଼ା, ୨୬ ଫେବୃଆରୀ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ବେହେରାମାଲ ସ୍ଥିତ ଏମସିଏଲ କମ୍ୟୁନିଟି ହଲ୍ ପରିସରରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା-୨୦୨୫ ଆଜି ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ପ୍ରୟାସରେ ଆୟୋଜିତ ଏହି ମେଳାକୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ଥିଲେ।ମେଳାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଯୁବପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଉପରେ ଜୋର ଦେଇ କହିଥିଲେ ଯେ, ଝାରସୁଗୁଡ଼ା ହେଉଛି ରାଜ୍ୟର ଅନ୍ୟତମ ଶିଳ୍ପ ହବ୍, କିନ୍ତୁ ଏବେ ସୁପାରିଶରେ ନିଯୁକ୍ତି ପାଇବାର ପୁରୁଣା ପ୍ରଥାକୁ ଆମେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛୁ। ଆମ ସରକାରଙ୍କ ସ୍ପଷ୍ଟ ନୀତି ହେଉଛି— 'ସୁପାରିଶ ନୁହେଁ, ପ୍ରତିଭା ଆଧାରରେ ନିଯୁକ୍ତି'। ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ଜିଲ୍ଲାର ଯୁବକଯୁବତୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ସରକାର ବଦ୍ଧପରିକର ଏବଂ ଏଥିରେ କୌଣସି ପ୍ରକାର ଅନିୟମିତତା ପ୍ରତି 'ଜିରୋ ଟଲେରାନ୍ସ' ବା ଶୂନ୍ୟ ସହନଶୀଳତା ନୀତି ଆପଣାଯିବ। ଜିଲ୍ଲାରେ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ଗ୍ରାଜୁଏସନ ୟୁନିଭରସିଟି ସ୍ଥାପନ କରାଯିବା ସହ ବୈଷୟିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହାଦ୍ୱାରା ପିଲାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ।ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କହିଥିଲେ, ଜିଲ୍ଲା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ଶିକ୍ଷିତ ଯୁବକଯୁବତୀଙ୍କ ଦକ୍ଷତା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ମଧ୍ୟରେ ଥିବା ଦୂରତାକୁ ଦୂର କରିବା। ଏହି ନିଯୁକ୍ତି ମେଳା ମାଧ୍ୟମରେ ଆମେ ପ୍ରତିଭାବାନ ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତିଦାତାଙ୍କ ସହ ଯୋଡ଼ିବାକୁ ପ୍ରୟାସ କରୁଛୁ। ଆମେ କେବଳ ଚାକିରି ଯୋଗାଇ ଦେଉନାହୁଁ, ବରଂ ଜିଲ୍ଲାର ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ବାତାବରଣ ପ୍ରଦାନ କରୁଛୁ।ଆଜିର ଏହି ମେଳାରେ ୨୫୫୭ରୁ ଅଧିକ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ଦେଶ ଓ ରାଜ୍ୟର ପ୍ରାୟ ୩୬ଟି ପ୍ରତିଷ୍ଠିତ ବେସରକାରୀ ସଂସ୍ଥା ଏବଂ ୪ଟି ପ୍ଲେସମେଣ୍ଟ ପ୍ରତିଷ୍ଠାନ ଏଥିରେ ଯୋଗଦେଇଥିଲେ। ବିଭିନ୍ନ କମ୍ପାନୀ ପକ୍ଷରୁ ମୋଟ ୧୪୩୯ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ରଖାଯାଇଥିବା ବେଳେ, ପ୍ରାୟ ୪୯୦ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ଯୋବ୍-ରୋଲ୍ରେ ପ୍ରଶିକ୍ଷଣ ଓ ନିଯୁକ୍ତି ପାଇଁ ଚୟନ କରାଯାଇଛି।ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମୁଖ୍ୟ ସୁନନ୍ଦ୍ ମହାରଣା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ସଙ୍ଗୀତା ମେହେର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ