
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ମଣ୍ଡିରେ ଧାନ ଉଠାଣରେ ବିଳମ୍ବ, ଟୋକନ୍ ସମସ୍ୟା ଏବଂ ଖୋଲା ଆକାଶ ତଳେ ବର୍ଷାରେ ଭିଜି ହଜାର ହଜାର କ୍ଵିଣ୍ଟାଲ୍ ଧାନ ପଡ଼ିରହିବା ଯୋଗୁଁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସହ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପରେ ମଧ୍ୟ ଚାଷୀମାନେ ପଇସା ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଷ୍ଟ କରି ଫସଲ ଅମଳ କରିବା ପରେ ମଧ୍ୟ ମଣ୍ଡିର ଅବ୍ୟବସ୍ଥା ଯୋଗୁଁ ଚାଷୀ କେବେ ନିଜ ଧାନ ବିକ୍ରି କରିପାରୁନାହାନ୍ତି ତ କେବେ ବିକ୍ରି ପରେ ମଧ୍ୟ ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି । ଧାନ ବିକ୍ରି କରିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଇସା ମିଳିବାର ନିୟମ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ ।
ସୂଚନା ମୁତାବକ, କାଲିମେଳା ବ୍ଲକ ଭୁବନପଲ୍ଲି ପଞ୍ଚାୟତର ଚାଷୀ ପ୍ରତାପ ବରାଲ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଚାଷୀ ମାନଙ୍କ ଧାନ ବିକ୍ରି କରି ମାସେ ପୁରିଗଲା ପରେ ମଧ୍ୟ ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି । ମଣ୍ଡିରେ ଧାନ ବିକ୍ରି କରିବାର ଅନେକ ଦିନ ପରେ ମଧ୍ୟ ଚାଷୀମାନେ ତାଙ୍କ ପ୍ରାପ୍ୟ ଟଙ୍କା ପାଇବାରେ ବିଳମ୍ବର ସମ୍ମୁଖୀନ ହେଉଛନ୍ତି । ଯାହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ସେପଟେ ବହୁ ଚାଷୀଙ୍କ ଧାନ ଉଠାଣ ନହେବାରୁ ଶତାଧିକ କୁଇଣ୍ଟାଲ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିରହିଛି । ଯାହା ବର୍ଷା ଆଶଙ୍କାରେ ନଷ୍ଟ ହେବାର ଭୟ ରହିଛି । ମଣ୍ଡିରେ ଧାନ ବିକି ଦୁଇ ପଇସା ରୋଜଗାର ଅପେକ୍ଷାରେ ଥିବା ଚାଷୀର ନିଦ ହଜାଇଛି ଟୋକନ ଅବ୍ୟବସ୍ଥା । ଚାଷୀଙ୍କ ଜମିର ପରିମାଣ ଓ ମୌଜା ସଠିକ ରହିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଟୋକନ୍ ମିଳିନଥିବା ମଧ୍ୟ ଅଭିଯୋଗ ଆସିଛି । ସରକାର ଉତ୍ପାଦିତ ଧାନ ନ କିଣିଲେ ଆମେ କାହାକୁ ଧାନ ବିକ୍ରି କରିବୁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ପ୍ରଶାସନ ତୁରନ୍ତ ଚାଷୀଙ୍କ ସମସ୍ୟା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ