
କେନ୍ଦୁଝର, ୨୬ ଫେବ୍ରୁଆରି (ହି.ସ.) - ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗରଉନ୍ନୟନ ବିଭାଗର ମିଳିତ ନିର୍ଦେଶନାମା ଅନୁଯାୟୀ ଜିଲ୍ଲାର ଚାରିଗୋଟି ବ୍ଲକର ମୋଟ ୮୪ଟି ଗ୍ରାମ ପଂଚାୟତରୁ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ କାର୍ଯ୍ୟକ୍ରମ ଅଧିନରେ ସଂଗ୍ରହ କରାଯାଉଥିବା ଶୁଖିଲା ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ସିଧାସଳଖ ଭାବରେ ଗୃହ ଓ ନଗରଉନ୍ନୟନ ବିଭାଗ ଅଧିନରେ ଥିବା ଏହି ପାଂଚୋଟି ନଗର ପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ସଂଗ୍ରହ କରାଯିବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାର ଆନନ୍ଦପୁର ପୌରପରିଷଦ, କେନ୍ଦୁଝରଗଡ ପୌରପରିଷଦ, ଯୋଡ଼ା ପୌରପରିଷଦ, ବଡ଼ବିଲ ପୌରପରିଷଦ ଏବଂ ଚମ୍ପୁଆ ବିଜ୍ଞାପିତ ଅଂଚଳ ଗୁଡ଼ିକରେ ନିର୍ମାଣ ହୋଇଥିବା ଏମ.ଆର.ଏଫ ଗୁଡ଼ିକୁ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବା ସହିତ ଏହାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ରୁଟ ଚାର୍ଟ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା ।
ଏଥି ସହ ଜିଲ୍ଲାର ମୋଟ ୨୨ଗୋଟି ପର୍ଯ୍ୟଟନ ସ୍ଥଳୀ ଓ ଏହା ସଂଲଗ୍ନ ମୁଖ୍ୟ ରାସ୍ତା ପାର୍ଶ୍ୱ ପର୍ଯ୍ୟଟକ ପ୍ରଭାବିତ ଗ୍ରାମ ଓ ଏହା ଅନ୍ତର୍ଗତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସହାରାଂଚଳ ଗୁଡିକରେ ନିତିଦିନ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପରିମାଣର ସର୍ଭେ କରାଯାଇ ଏହି ପର୍ଯ୍ୟଟନ ପ୍ରଭାବିତ ଅଂଚଳ ଗୁଡ଼ିକରେ ନିୟମିତ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା ସହ ଏହି ଅଂଚଳର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗରଉନ୍ନୟନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଏକ କାର୍ଯ୍ୟକ୍ରମ କରାଯିବାକୁ ଆଲୋଚନା ହୋଇଥିଲା ।
ଏହି ଜିଲ୍ଲା ସ୍ତରୀୟ ସଂଚାଳନ ସମିତି ବୈଠକରେ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କେନ୍ଦୁଝର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଯୋଗେନ୍ଦ୍ର ସିଂ, ରାଜ୍ୟ ସ୍ତରୀୟ ପରିମଳ ପରାମର୍ଶଦାତା, ଇଉନିସେଫ ରିସୋର୍ସ ପର୍ସନ ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଂଚାୟତ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପରିଷଦ ଓ କରଞ୍ଜିଆ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପରିମଳ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ଜଳ ଓ ପରିମଳ ମିଶନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, କେନ୍ଦୁଝର ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିଭଳି ଭାବରେ ସୁଚାରୁ ରୂପେ ତ୍ୱରାନ୍ୱିତ କରାଯିବ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA