



ସମ୍ବଲପୁର , ୨୬, ଫେବ୍ରୁଆରୀ (ହି.ସ.) - ନିଶାପାଣିକୁ ସର୍ବସମ୍ମୁଖରେ ସମସ୍ତେ ଘୃଣା କରିବା ସହ ନିଶା ଠାରୁ ଦୂରେଇ ରହିବା ପାଇଁ ଅନ୍ୟକୁ ପ୍ରାୟ ସମସ୍ତେ ପରାମର୍ଶ ଦେବା, ଏକ ସାଧାରଣ ଘଟଣା । ଅବଶ୍ୟ ବେଳେ ବେଳେ ସରକାର ବି ସମୟ ସୂଯୋଗ ଦେଖି ନିଶା ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇଥାନ୍ତି । ହେଲେ ମଦ, ଗଞ୍ଜେଇ, ଅଫିମ ଭଳି ନିଶା ସହ ବିଭିନ୍ନ କଫ୍ ସିରପ୍ ଏବେ ନିଶାଡିଙ୍କ ଆକର୍ଷଣ ପାଲଟିଛି । ସମାଜରେ ନିଶା କାରବାର ଉପରେ ଅବକାରୀ ବିଭାଗ ଅଙ୍କୁଶ ଲଗାଇବା ପରିବର୍ତେ ପ୍ରତ୍ୟକ୍ଷ ପରୋକ୍ଷରେ ସହଯୋଗ କରୁଥିବାରୁ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ଗୁଡିକରେ ଦ୍ରୃତଗତିରେ ନିଶା କାରବାର ବଢ଼ିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ଅବକାରୀ ବିଭାଗର ସ୍ଥାଣୁତା ଯୋଗୁଁ ଜିଲ୍ଲା ପୋଲିସ ପ୍ରଶାସନ ଦୁଇପାଦ ଆଗକୁ ଯାଇ ବେଆଇନ ନିଶା କାରବାର ଉପରେ ଧରପଗଡ କରି ବେଶ୍ ସୁଫଳ ହାତେଇଛି । ମାତ୍ର ଗ୍ରାମାଂଚଳ ଗୁଡିକରେ ଆଶାତୀତ ଭାବେ ମଦ୍ୟପଙ୍କ ସଂଖ୍ୟା ବଢ଼ି ଚାଲିବା ସମ୍ପ୍ରତି ସାମାଜିକ ସୁସ୍ଥ ପରମ୍ପରା ପ୍ରତି ପ୍ରତିବନ୍ଧକ ସାଜିବାରେ ଲାଗିଛି । ସଦ୍ୟତମ ଅଭିଯୋଗ ଅନୁଯାୟୀ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ପଂଚାୟତ ଅନ୍ତର୍ଗତ ରେଙ୍ଗାଲବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବିଭିନ୍ନ ମହଲରେ ଭିନ୍ନ ଏକ ପରିଚୟ ପାଇବାକୁ ଯାଉଛି । ସଞ୍ଜ ନଇଁଲେ ଏହି ସ୍କୁଲକୁ ନିୟମିତ କିଛି ନିରୋଳା ମଦୁଆ ଅଡ୍ଡାସ୍ଥଳୀ ବନାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆସର ସରିବା ପରେ ମଦ୍ୟପ ମାନେ ମାତାଲି ଅବସ୍ଥାରେ କେତେକ ଢଳି ଢଳି ଫେରୁଛନ୍ତି ତ ଆଉ କିଛି ଅଶାଳୀନ ଭାଷାରେ ଚିତ୍କାର କରୁଥିବା ଗାଁ ପରିବେଶକୁ କଳୁଷିତ କରାଉଛି । ସେହିପରି ମଦ ଆସର ସରିବା ପରେ କେତେବେଳେ ପ୍ଲାଷ୍ଟିକ ପାଣି ବୋତଲ, ଗ୍ଲାସ୍ ଓ ଚାଖେଣା ବିକ୍ଷିପ୍ତ ଭାବେ ପଡିଥିବା ଦେଖାଯାଇଛି । ଗୋଟିଏ ଶିକ୍ଷାନୁଷ୍ଠାନ ଭିତରେ ଯଦି ନିୟମିତ ଏହିପରି ପରିବେଶ ରୁହେ ତେବେ ଅଧ୍ୟୟନ କରିବାକୁ ଆସୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଏହା କି ପ୍ରକାରର ମାନସିକ ଆଘାତ ଦେଉଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରାଇଛି। ସେହିପରି ଏହି ପରିବେଶ ନେଇ ଅଦ୍ୟାବଧି ସ୍କୁଲର କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ବା କୌଣସି ଅଭିଭାବକଙ୍କ ମହଲରୁ ପ୍ରତିବାଦର ସ୍ୱର ଉତୋଳନ ନ ହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି କୁହାଯାଇପାରେ । ଅପରପକ୍ଷେ ହୋଇପାରେ ସଚେତନତାର ଅଭାବ ବା କାହା ପ୍ରତି ମାତ୍ରାଧିକ ଭୟଭାବ ଯୋଗୁଁ ସମସ୍ତେ ନୀରବଦ୍ରଷ୍ଟା ସାଜୁଛନ୍ତି ତାହା ତଦନ୍ତ ସାପେକ୍ଷ। ସ୍କୁଲ ଭିତରେ ଏଭଳି ଅନୀୟମିତତାକୁ ନେଇ କିଛି ଛାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ଛାତ୍ରଙ୍କ ଠାରୁ ଏଭଳି ପ୍ରତିକ୍ରିୟା ଜାଣିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ସତ୍ୟତା ଅନୁସନ୍ଧାନ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ୍ ପ୍ରଧାନଶିକ୍ଷକ, ବ୍ଲକ୍ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନଜରକୁ ନେବାକୁ ବାଧ୍ୟ ହୋଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ଓ ବିଭାଗ ପକ୍ଷରୁ ସ୍କୁଲ ପରିସର ଓ ଛାତ୍ରଛାତ୍ରୀଙ୍କ ପାଇଁ କି ପ୍ରକାରର ସୁବ୍ୟବସ୍ଥା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ