
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ଡେରାବିଶ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁର ପ୍ରଭୁ ଶ୍ରୀ ଲଛମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର’ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରନ୍ଥାଗାର ଉଦଘାଟନ କରିବା ସହିତ ଏକ ସମୃଦ୍ଧ ସମାଜ ନିର୍ମାଣରେ ପାଠାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପ୍ରତ୍ୟେକ ଧର୍ମାନୁଷ୍ଠାନରେ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର ରହିବା ଉଚିତ୍ ବୋଲି ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ମତବ୍ୟକ୍ତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ ଓ ଶିକ୍ଷୟତ୍ରୀ ତଥା କବି ମଞ୍ଜୁଶ୍ରୀ ବରାଳ ସ୍ଥାନୀୟ ଯୁବକମାନଙ୍କ ଏହି ଉଦ୍ୟମକୁ ପ୍ରସଂଶା କରିବା ସହିତ ପ୍ରତ୍ୟକ ବ୍ୟକ୍ତି ଏହି ଗ୍ରନ୍ଥାଗାରକୁ ଆସି ପୁସ୍ତକ ପାଠ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ବକ୍ତା ଭାବେ ଯୋଗଦେଇ ଗାଳ୍ପିକ ତଥା ପ୍ରାବନ୍ଧିକ ମାତୃଦତ ମହାନ୍ତି ପାଠାଗାର ପ୍ରତିଷ୍ଠା ଏକ ଆନ୍ଦୋଳନରେ ପରିଣତ ହେଲେ ହିଁ ସଚେତନ ପାଠକ ଗୋଷ୍ଠୀ ସୃଷ୍ଟି ହୋଇପାରିବ ବୋଲି ମତ ଦେଇଥିଲେ କ୍ଷ ବିଶିଷ୍ଟ ସମାଜସେବୀ ମନୋଜ କୁମାର ମହଲାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସତ୍ୟନାରାୟଣ ବେହେରା, କିଶୋର ଚନ୍ଦ୍ର ପୋଥାଳ, ରମେଶ ସେଠି, ସମାଜସେବୀ ଦିଲ୍ଲୀପ ଦାସ, କୁଶିଆପାଳ ସରପଂଚ ଦୟାନିଧି ଦାସ, ଶିବାନୀ ଶଙ୍କର ଦାସ, ବ୍ରଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀ ଲଛମନଜୀଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାପିତ ଏହି ଗ୍ରନ୍ଥାଗାର ରେ ଶତାଧିକ ଆଧ୍ୟାତ୍ମିକ ଓ ରାଷ୍ଟ୍ରବାଦୀ ପୁସ୍ତକ ରହିଚି। ଏହି ଗ୍ରନ୍ଥାଗାର ପାଇଁ ଆଧ୍ୟାତ୍ମିକ ପୁସ୍ତକ ଦାନ କରିବାକୁ ଆୟୋଜକମାନେ ଆହ୍ୱାନ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି