
ନୂଆପଡ଼ା, ୨୬ ଫେବୃଆରୀ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ସଡ଼କ ସୁରକ୍ଷା, ମୋଟର ଯାନ ଅଧିନିୟମ, ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବିକଳ୍ପ ବିବାଦ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଳା ମହାରଣା, ପ୍ରୋଜେକ୍ଟ କନ୍ସର୍ନ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆର ରାଜ୍ୟ ପ୍ରକଳ୍ପ ପରିଚାଳିକା (କନ୍ଭର୍ଜେନ୍ସ) ଜ୍ୟୋତ୍ସ୍ନା ରାଣୀ ସାହୁ, ପ୍ରାଧିକରଣର ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ପ୍ୟାନେଲ୍ ଓକିଲ ସନ୍ଥରାମ ସାହୁ, କାଣ୍ଡେତରା ଗ୍ରାମ ପଞ୍ଚାୟତର ସରପଞ୍ଚ କଲ୍ୟାଣୀ ଦାସ, ପି.ଇ.ଓ ଗିରିଧାରୀ ତାଣ୍ଡି ଏବଂ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବିକଳ୍ପ ବିବାଦ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିଆ ଯାଉଥିବା ମାଗଣା ଆଇନ ସହାୟତା ବିଷୟରେ ଚର୍ଚ୍ଚା କରିଥିଲେ । ସେହିପରି ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା ସଡ଼କ ସୁରକ୍ଷା, ମୋଟର ଯାନ ଅଧିନିୟମ ଇତ୍ୟାଦି ବିଷୟରେ ବକ୍ତବ୍ୟ ଦେବାସହ ଗାଡ଼ି ଚଳାଇବା ସମୟରେ ସଡ଼କ ସୁରକ୍ଷା ନିୟମ ମାନି ଦୁର୍ଘଟଣାରୁ ବର୍ତ୍ତିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ।
ଏହି ଅବସରରେ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୩୬ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ