
ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)-
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା କନ୍ଦବାହାଲରେ ଘଟିଛି ଅଜବ ଘଟଣା। ବୁଧବାର ଥିଲା ବାହାଘର, ଆଉ କିଛି ସମୟ ପରେ ବାଣ ଫୁଟାଇ ବରଯାତ୍ରୀ ଆସି ଦୁହେଁ ବିବାହ କରିଥାନ୍ତେ l କିନ୍ତୁ, ବରଯାତ୍ରୀ ଆସିବା ଆଗରୁ ପ୍ରେମିକାକୁ ନେଇ ଫେରାର ମାରିଲା ବର ।
ସୂଚନାଯୋଗ୍ୟ ଯେ, କନ୍ଧବାହାଲ ଗାଁ ର ପବିତ୍ର ବନଛୋରଙ୍କ ଝିଅ ମୁରିବାହାଲ ବ୍ଲକ ସାଲେପଡା ନୂଆପଡା ଗାଁ ର ନୀଳାଚଳ ଛତ୍ରୀଆଙ୍କୁ ବୁଧବାର ବିବାହ କରିବାର ଥିଲା । ଆଉ କିଛି ସମୟ ପରେ ପିନ୍ଧାନୀ ହୋଇ ବାହାଘର ହେବାର ଥିଲା। କିନ୍ତୁ, ବର ଘର ପରିବାର ଲୋକେ ପିନ୍ଧାନୀ କରିବାକୁ କନ୍ୟା ଘରକୁ ନ ଆସିବାରୁ କନ୍ୟାର ବାପା ବର ଘର ପରିବାର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ପ୍ରେମିକାକୁ ନେଇ ଫେରାର ମାରିବା କଥା କହିଥିଲେ ବରର ବାପା l ଫଳରେ କନ୍ୟା ଘର ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବରଘର ପରିବାର ଲୋକଙ୍କ ପାଇଁ ମାଂସ, ଭୋଜିଭାତର ଆୟୋଜନ କରିଥିଲେ। ବର ପାଇଁ ମୋଟର ସାଇକେଲ ଏପରିକି ସବୁ ପ୍ରକାର ଜିନିଷ ପାଇଁ ପାଞ୍ଚ ଲକ୍ଷ ଖର୍ଚ୍ଚ କରିଥିଲେ। ଏନେଇ କନ୍ୟାଙ୍କ ବାପା ପବିତ୍ର ବନଛୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ