ମେଗା ମାଟିପାତ୍ର ତିଆରି ପ୍ରତିଯୋଗିତା
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କୁମ୍ଭାରମାନଙ୍କ କୌଳିକବୃତି ଭିତିକ ମାଟିପାତ୍ରକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ରାଜ୍ୟ ହସ୍ତଶୀଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ତୋଷାଳୀ ମେଳା ଅବସରରେ ମେଗା ମାଟିପାତ୍ର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ(ସିଡ଼
ମେଗା ମାଟିପାତ୍ର ତିଆରି ପ୍ରତିଯୋଗିତା


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କୁମ୍ଭାରମାନଙ୍କ କୌଳିକବୃତି ଭିତିକ ମାଟିପାତ୍ରକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ରାଜ୍ୟ ହସ୍ତଶୀଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ତୋଷାଳୀ ମେଳା ଅବସରରେ ମେଗା ମାଟିପାତ୍ର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ(ସିଡ଼ାକ) କଳାଭୂମି ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାରରୁ ଅଧିକ ମାଟିପାତ୍ର ହସ୍ତଶିଳ୍ପୀ ଯୋଗଦେଇ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ନିପୁଣ ହସ୍ତଶିଳ୍ପୀ ମକର କେତନ ସାହୁ ନିର୍ଦ୍ଧାରିତ ୧ ଘଂଟାରେ ୨୧୮ଟି ମାଟିପାତ୍ର ଗଢି ପୂର୍ବରୁ ଥିବା ରେକର୍ଡ ୨୧୨କୁ ଭାଙ୍ଗିବା ସହିତ ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଶିଳ୍ପୀ ବାମଦେବ ମୁଦୁଲି ୧୬୭ଟି ମାଟିପାତ୍ର ଗଢି କୋଡିଏ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୦ ଜଣ ମାଟିପାତ୍ର ହସ୍ତଶିଳ୍ପୀ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ୟ୍ୟାଳୟର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏବଂ ହସ୍ତଶୀଳ୍ପ ପ୍ରକଳ୍ପ ଅଧିକାରୀ ତାପସ ମହାପାତ୍ରଙ୍କ ସଂଯୋଜନାରେ ଏହି ଶିଳ୍ପୀମାନେ ୨୩ ଏବଂ ୨୪ ତାରିଖ ଦୁଇଦିନ ଭୁବନେଶ୍ୱର କର୍ମଶାଳାରେ ରହି ମାଟିପାତ୍ର ଗଢିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ନିପୁଣ ହସ୍ତଶିଳ୍ପୀ ନିରଞ୍ଜନ ବେହେରା, ତପନ ବେହେରା, ସୁବଳ ବେହେରାଙ୍କ ସମେତ ବଡ଼କୁଳର ବିଶିଷ୍ଟ ଟେରାକୋଟା ଶିଳ୍ପୀ ସରୋଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାର ସେବକ ରଣା ୩୧୦ ଟି ମାଟିପାତ୍ର ଗଢି ପ୍ରଥମ ସ୍ଥାନ ହାସଲ କରି ପୂର୍ବର ରେକର୍ଡ ୨୧୨କୁ ଅତି ସହଜରେ ଅତିକ୍ରମ କରିଛନ୍ତି। ଏହି ପ୍ରତିଯୋଗିତାର ଉଦଘାଟନ ଏବଂ ଉଦଯାପନ ଉତ୍ସବରେ ସମବାୟ, ହସ୍ତତନ୍ତ, ବୟନଶୀଳ୍ପ ଏବଂ ହସ୍ତଶୀଳ୍ପ ବିଭାଗମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବିଭାଗୀୟ ସଚିବ ପୁନମଗୁହା ତାପସ କୁମାର, ବିଭାଗୀୟ ନିର୍ଦ୍ଦେଶିକା ଡ଼ ନିବେଦିତା ପୃଷ୍ଟି, ୱାର୍ଲଡ ବୁକ ଅଫ ରେକର୍ଡର ଉପସଭାପତି ରାଜୀବ ଶ୍ରୀବାସ୍ତବ, ପଦ୍ମଶ୍ରୀ ବିନୋଦ ମହାରଣା, ଜାତୀୟ ପୁରସ୍କାର ପ୍ରାପ୍ତ ଟେରାକୋଟା ହସ୍ତଶିଳ୍ପୀ ମୁକୁନ୍ଦ ରଣା, ମନବୋଧ ରଣା, ସିଡ଼ାକର ଅତିରିକ୍ତ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ତଶୀଳ୍ପ କାର୍ୟ୍ୟାଳୟର ସହକାରୀ ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ହସ୍ତଶୀଳ୍ପ ବିକାଶ ଅଧିକାରୀ ବିଜୟ ପଟ୍ଟନାୟକ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ମାଟିପାତ୍ର ହସ୍ତଶିଳ୍ପ ପାଇଁ ସରକାରଙ୍କ ଏହି ପ୍ରୟାସକୁ କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାର ସଙ୍ଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande