
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କେନ୍ଦ୍ର ଗୃହ ବିଭାଗ ଜାତୀୟ ପତାକା ବ୍ୟବହାର ଓ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦେଶନାମା ଜାରି କରିଛନ୍ତି। ଭାରତୀୟ ଜାତୀୟ ପତାକା ଆମ ଭାରତୀୟଙ୍କର ଆଶା ଓ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବା ସହ ଏହା ଆମ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଗାଥା ବହନ କରେ। “ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ ୧୯୭୧” ଏବଂ ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨( ୨୦୨୧ ଓ ୨୦୨୨ରେ ସଂଶୋଧିତ)ରେ ଜାତୀୟ ପତାକା ବ୍ୟବହାର/ଉତୋଳନ/ପ୍ରଦର୍ଶନକୁ ନିୟନ୍ତ୍ରଣ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ଜାତୀୟ, ସାଂସ୍କୃତିକ ଓ କ୍ରୀଡା କାର୍ୟ୍ୟକ୍ରମ ଅବସରରେ ସାଧାରଣ ଜନତା କାଗଜରେ ତିଆରି ଜାତୀୟ ପତାକା ଉଡାଇ ପାରିବେ। କାର୍ୟ୍ୟକ୍ରମ ପରେ କାଗଜରେ ତିଆରି ସେହି ଜାତୀୟ ପତାକାକୁ ଫୋପାଡ଼ି ଦିଆଯିବ ନାହିଁ କି ଭୂମିରେ ଫିଙ୍ଗାଯିବ ନାହିଁ। ଯେଉଁ ଠାରେ ପତାକା ଖୋଲା ସ୍ଥାନରେ କିମ୍ବା ସାଧାରଣ ନାଗରିକଙ୍କ ଘରେ ପ୍ରଦର୍ଶିତ ହୁଏ, ସେଠାରେ ଏହାକୁ ଦିନ ଓ ରାତି ଉଡ଼ାଯାଇପାରିବ, ଜାତୀୟ ପତାକା ଆୟତାକାର ଆକୃତିର ହେବ, ପତାକାର ଆକାର ଯେକୌଣସି ହୋଇପାରେ, କିନ୍ତୁ ଲମ୍ବ ଓ ପ୍ରସ୍ତର ଅନୁପାତ ୩:୨ ହେବା ଆବଶ୍ୟକ, ଯେତେବେଳେ ଜାତୀୟ ପତାକା ପ୍ରଦର୍ଶିତ ହୁଏ, ସେତେବେଳେ ଏହାକୁ ସମ୍ମାନର ସହ ସ୍ପଷ୍ଟ ଭାବରେ ସ୍ଥାପିତ କରାଯିବ ଜ୍ଝ କ୍ଷତିଗ୍ରସ୍ତ କିମ୍ବା ଅ୍ୱ୍ୟବସ୍ଥିତ ପତାକା ପ୍ରଦର୍ଶନ କରାଯିବ ନାହିଁ,ଜାତୀୟ ପତକାକୁ ମସ୍ତୁଳ ଅନ୍ୟ କୌଣସି ପତାକା ସହିତ ଏକାସାଥିରେ ଉଡ଼ାଯିବ ନାହିଁ, ଜାତୀୟ ପତାକା ଠାରୁ ଉପରେ ବା ତାହାର ସମାନ ଉଚ୍ଚତାରେ କିମ୍ବା ପାଖପାଖି ଅନ୍ୟ କୌଣସି ପତାକା କିମ୍ବା ବଣ୍ଡିଙ୍ଗ ସ୍ଥାପିତ କରାଯିବ ନାହିଁ। ଏହି ସମ୍ବନ୍ଧୀୟ ସୂଚନା ପାଇଁ ଗୃହ ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ ଅଛି। ଜାତୀୟ ପତାକା ପ୍ରତି ସାର୍ବଜନୀନ ଶ୍ରଦ୍ଧା, ସମ୍ମାନ ଓ ଆନୁଗତ୍ୟ ରହିବା ଉଚିତ। ଜାତୀୟ ପତାକା ପ୍ରଦର୍ଶନ ସମୟରେ ଜନସଧାରଣ ଏବଂ ସରକାରଙ୍କ ସଂଗଠନ/ ଏଜେନ୍ସିମାନଙ୍କ ମଧ୍ୟରେ ସଚେତନତାର ସ୍ପଷ୍ଟ ଅଭାବ ପ୍ରାୟତଃ ପାରିଲିକ୍ଷିତ ହେଉଥିବାରୁ ଭାରତୀୟ ଜାତୀୟ ପତାକା ସଂହିତାର ଯଥାର୍ଥ ଅନୁପାଳନ ନିମନ୍ତେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏଥିପ୍ରତି ପ୍ରତ୍ୟେକ ଭାରତୀୟ ଯତ୍ନଶୀଳ ହେବା ଆବଶ୍ୟକତା ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି