
ରାଇରଙ୍ଗପୁର, ୨୬ ଫେବୃଆରୀ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମିଳିତ ସହଯୋଗରେ ଆଜି ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ଵାବଧାନରେ ରାଇରଙ୍ଗପୁରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ, ମୟୂରଭଞ୍ଜ (ଲୋକସଭା) ନବ ଚରଣ ମାଝୀ, ବିଧାୟକ ରାଇରଙ୍ଗପୁର ଜଲେନ ନାଏକ, କଟକ ଆର୍ମି ରିକ୍ରୁଟମେଣ୍ଟ କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ପି ସି ପ୍ରସନ୍ନା, ଵିଜେପିର ବରିଷ୍ଠ ସଦସ୍ୟ ନବୀନ କୁମାର ରାମ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ବସନ୍ତିଆ ନିଯୁକ୍ତି ମେଳାର ଆଭିମୁଖ୍ୟ ବିଷୟରେ ପ୍ରତିପାଦନ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ . ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଏହି ନିଯୁକ୍ତି ମେଳା କେବଳ ଏକ ମେଳା ନୁହେଁ, ବରଂ ଏହା ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ସୁଯୋଗ ଓ ସମ୍ଭାବନାର ଏକ ପ୍ଲାଟଫର୍ମ। ନିଯୁକ୍ତି ଅପେକ୍ଷାରେ ଆଶାୟୀ ପ୍ରାର୍ଥୀମାନେ ଏହି ମେଳାର ପୂର୍ଣ୍ଣ ସୁଯୋଗ ନେଇ ସମ୍ଭାବନାକୁ ବାସ୍ତବତାରେ ପରିଣତ କରି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟାନ୍ୟ ଅତିଥି ବୃନ୍ଦ ନିଯୁକ୍ତି ମେଳାର ବିଭିନ୍ନ ସକାରାତ୍ମକ ଦିଗ ଉପରେ ମତବ୍ୟକ୍ତ କରି କହିଥିଲେ ଯେ, ଯେହେତୁ ଅନେକ ନିଯୁକ୍ତି ଦାତା ଓ ଚାକିରୀ ଆଶାୟୀ ଅନେକ ଯୁବକ ଯୁବତୀ ଉଭୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ସେହି ଦୃଷ୍ଟିରୁ ଚାକିରୀ ଅନ୍ୱେଷଣରେ ଥିବା ପ୍ରତ୍ୟେକ ନିଜ ନିଜ ପସନ୍ଦ ମୁତାବକ ଚାକିରୀ ପାଇବାରେ ଏହି ନିଯୁକ୍ତି ମେଳା ବେଶ ସହାୟକ ହେବ।
ଏହି ଅବସରରେ ଅତିଥି ବୃନ୍ଦ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁବନ୍ଧିତ ଅଭିଷେକ ଏଜୁକେସନ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟରୁ ବିଭିନ୍ନ ପ୍ରକାର ତାଲିମ ସମ୍ପୂର୍ଣ୍ଣପରେ ୩୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଟାଟା ଇଲେକ୍ଟନିକ୍ସ କମ୍ପାନୀରୁ ଆସିଥିବା ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଉକ୍ତ ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ୫ମ ଶ୍ରେଣୀ ପାସ ଠାରୁ ଦଶମ, ଯୁକ୍ତ ଦୁଇ, ଯୁକ୍ତ ତିନି ଆଇ.ଟି.ଆଇ., ଡିପ୍ଲୋମା ପାସ୍ ଶିକ୍ଷାଗତ ଯୋଗ୍ୟତା ଥିବା ଓ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ବହୁ ବେକାର ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ।
ଆଜିର ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୬୧ଟି ଅନୁଷ୍ଠାନ ଯୋଗ ଦେଇଥିଲେ ଓ ସମୁଦାୟ ୧୯୬୧ ଜଣ ପଞ୍ଜିକରଣ କରିଥିଲେ। ତନ୍ମଧ୍ୟରୁ ପ୍ରାୟ ୩୫ଟି ବିଭିନ୍ନ ନିଯୁକ୍ତି ଦାତା ୧୦୨୩ ଜଣଙ୍କୁ ବିଭିନ୍ନ ବର୍ଗରେ ପ୍ଲେସମେଣ୍ଟ ପାଇଁ ଚୟନ କରିଥିବା ବେଳେ ୧୯ଟି ସରକାରୀ ଅନୁବନ୍ଧିତ ଟ୍ରେନିଂ ତଥା ନିଯୁକ୍ତି ଦେଉଥିବା ଅନୁଷ୍ଠାନ ୭୭୪ ଜଣ ପ୍ରାର୍ଥୀଙ୍କୁ ତାଲିମ୍ ପ୍ରଦାନ ଓ ତାଲିମ ପ୍ରାପ୍ତ ସମ୍ପୂର୍ଣ୍ଣ ପରେ ପରବର୍ତୀ ନିଯୁକ୍ତି ପାଇଁ ଚୟନ କରିଛନ୍ତି. ସେହିପରି ୭ଟି ସରକାରୀ ଅନୁଷ୍ଠାନ ୧୪୩ ଜଣଙ୍କୁ ଆତ୍ମ ନିଯୁକ୍ତି ତାଲିମ ଏବଂ ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପରାମର୍ଶ ଓ ଭାରତୀୟ ସୈନ୍ୟ ବାହିନୀରେ ଅଗ୍ନିବୀର ପଦବୀରେ ପଞ୍ଜିକରଣ ପାଇଁ ପରାମର୍ଶ ଦେଇଥିଲେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ, ମୟୁରଭଞ୍ଜଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର ରାମ ମଞ୍ଚ ସଂଚାଳନ କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ