
ଭୁବନେଶ୍ୱର, ୨୬ ଫେବୃଆରୀ (ହି.ସ.)- ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି। ସ୍ନାତକୋତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ କମନ୍ ପିଜି ଏଂଟ୍ରାନ୍ସ ଟେଷ୍ଟ (ସିପିଇଟି ) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ।
ସିପିଇଟି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବୃଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୫ ତାରିଖ ପର୍ୟ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ଏପ୍ରିଲ ମାସ ୨୭ ତାରିଖରୁ ମେ' ମାସ ୧୦ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସ୍ନାତକୋତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସିପିଇଟି ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।
ଏଥିସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ ସ୍ନାତକୋତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା