ରାଜ୍ୟପାଳଙ୍କ ବହିଷ୍କାର ଆଦେଶକୁ ଖାରଜ କଲେ ହାଇକୋର୍ଟ : ନଗରପାଳ ପଦବୀକୁ ଫେରିଲେ ଶୁଭେନ୍ଦୁ ସାହୁ
ଭୁବନ, ୨୬ ଫେବୃଆରୀ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ସେପ୍ଟେମ୍ବର ମାସରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ବହିଷ୍କୃତ ହୋଇଥିବା ନଗରପାଳ ଶୁଭେନ୍ଦୁ କୁମାର ସାହୁ ପୁନର୍ବାର କ୍ଷମତାକୁ ଫେରିଛନ୍ତି । ରାଜ୍ୟପାଳଙ୍କ ଆଦେଶକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ
ନଗରପାଳ ପଦବୀକୁ ଫେରିଲେ ଶୁଭେନ୍ଦୁ ସାହୁ-୨


ନଗରପାଳ ପଦବୀକୁ ଫେରିଲେ ଶୁଭେନ୍ଦୁ ସାହୁ


ଭୁବନ, ୨୬ ଫେବୃଆରୀ (ହି.ସ.)-

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ସେପ୍ଟେମ୍ବର ମାସରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ବହିଷ୍କୃତ ହୋଇଥିବା ନଗରପାଳ ଶୁଭେନ୍ଦୁ କୁମାର ସାହୁ ପୁନର୍ବାର କ୍ଷମତାକୁ ଫେରିଛନ୍ତି । ରାଜ୍ୟପାଳଙ୍କ ଆଦେଶକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଭୁବନରେ ଖୁସିର ଲହରି ଖେଳିଯାଇଛି । ବିଜେଡି କର୍ମୀ ମାନେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ।

ଅନୁସନ୍ଧାନରୁ ପ୍ରକାଶ ଯେ, ଭୁବନର ବିଶିଷ୍ଟ ଉଦ୍ୟୋଗପତି ତଥା ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ ୨୦୨୨ ରେ ବିଜୁ ଜନତା ଦଳରେ ଯୋଗଦେଇ ନଗରପାଳ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ୨୦୨୨ ମାର୍ଚ୍ଚ ୩୦ ତାରିଖରେ ନଗରପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ନଗରପାଳଙ୍କୁ କ୍ଷମତାରୁ ହଟାଇବା ପାଇଁ କୂଟନୀତି ଆରମ୍ଭ ହୋଇଥିଲା । ବିଜେଡି ଦଳର ତିନି ଜଣ କାଉନସିଲରଙ୍କୁ ଘୋଡ଼ା ବେପାର ଦ୍ଵାରା ନିଜ ପଟକୁ ନେଇ ବିଜେପି ତରଫରୁ ନଗରପାଳଙ୍କ ବିରୋଧରେ ନଭେମ୍ବର ୧୨ ତାରିଖ ୨୦୨୪ ରେ ଅନାସ୍ଥା ଭୋଟ ଅଣାଯାଇଥିଲା । ଉଚ୍ଚ ନ୍ୟାୟାଳୟଙ୍କ ବାରଣ ଯୋଗୁଁ ଅନାସ୍ଥା ଭୋଟିଂ ହୋଇଥିଲା, କିନ୍ତୁ ଗଣତି ଏବଂ ଘୋଷଣା କରାଯାଇନଥିଲା। ଏହାପରେ ସ୍ଥାନୀୟ ବିଧାୟକ ନଗରପାଳଙ୍କୁ ଯେନତେନ ପ୍ରକାରେ କ୍ଷମତାଚ୍ୟୂତ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ । କ୍ଷମତାର ଅପବ୍ୟବହାର କାରଣ ଦର୍ଶାଇ ସରକାର ଗତ ୨୦୨୫ ସେପ୍ଟେମ୍ବର ୯ ତାରିଖ ଦିନ ନଗରପାଳ ଶୁଭେନ୍ଦୁ ସାହୁଙ୍କୁ ପଦବୀରୁ ବହିଷ୍କାର କରିଥିଲେ । ଏହାପରେ ନଗରପାଳ ସରକାରଙ୍କ ଠାରୁ ତାଙ୍କ ବହିଷ୍କାରର କାରଣ ଖୋଜିଥିଲେ। ବହିଷ୍କାରର ପ୍ରଥମ କାରଣ ଥିଲା ଜଳ ସମ୍ପଦ ବିଭାଗ ଠାରୁ ଅନୁମତି ନଆଣି କେନାଲ ହୁଡାରେ ମହିଳା ମହାବିଦ୍ୟାଳୟକୁ ପେଭର ବ୍ଲକ ରାସ୍ତା ନିର୍ମାଣ । ବାସ୍ତବରେ ଏହି କାର୍ଯ୍ୟ ପାଇଁ ଏନ୍ ଏ ସି ରିଜୋଲ୍ୟୁସନ୍ ପାସ ହୋଇଥିଲା ଓ ଏଥିରେ ସମସ୍ତ କାଉନସିଲର ଦସ୍ତଖତ ମଧ୍ୟ ଦେଇଥିଲେ । ଅନୁମତି ଆଣିବା ନଗରପାଳଙ୍କ କାମ ନୁହେଁ, ଏହା ଯନ୍ତ୍ରୀଙ୍କ କାମ ।

ବହିଷ୍କାରର ଦ୍ଵିତୀୟ କାରଣ ଥିଲା ପରିମଳ ବିଭାଗରେ ଦୁର୍ନୀତି ଓ ଅନିୟମିତତା । ବାସ୍ତବ ଚିତ୍ର ହେଲା ଶୁଭେନ୍ଦୁ ସାହୁ ନଗରପାଳ ଭାବେ ଦାୟିତ୍ଵ ନେବା ପୂର୍ବରୁ ସମଗ୍ର ରାଜ୍ୟରେ ଭୁବନ ଏନ୍ ଏ ସି ର ରାଙ୍କ ଥିଲା ୯୮ । ୨୦୨୪-୨୫ ବର୍ଷ ଭୁବନ ସାରା ରାଜ୍ୟରେ ୧୩ ନମ୍ବରକୁ ଆସିବା ସହ ଢେ଼ଙ୍କାନାଳ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିଲା ( ଯେତେବେଳେ କି ଟ୍ରିପଲ୍ ଇଞ୍ଜିନ ସରକାର ଥିବା ଢେ଼ଙ୍କାନାଳ ମ୍ୟୁନିସପାଲିଟି ରାଜ୍ୟରେ ୮୬ ତମ ନମ୍ବରରେ ଥିଲା) । ଯାହାକି ଭୁବନ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲା ।

ବହିଷ୍କାରର ତୃତୀୟ କାରଣ ହେଲା ୱାର୍ଡ କମିଟି ଗଠନ ନ ହେବା। ପ୍ରକୃତରେ ଯେଉଁ ୟୁ ଏଲ ବି ରେ ଜନସଂଖ୍ୟା ୩ ଲକ୍ଷରୁ ଉର୍ଦ୍ଧ୍ବ ଥିବ ସେଠାରେ ୱାର୍ଡ କମିଟି ଗଠନ କରାଯାଏ । ଭୁବନ ଏନ୍ ଏ ସି ରେ ଲୋକସଂଖ୍ୟା ସର୍ବାଧିକ ୨୫ ହଜାର । ତେଣୁ ଏଠାରେ ୱାର୍ଡ କମିଟି ବଦଳରେ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଥିଲା ଓ ସେହି କମିଟିରେ ସମସ୍ତ କାଉନସିଲର ସଦସ୍ୟ ରହିଥିଲେ ।

ବହିଷ୍କାରର ଚତୁର୍ଥ କାରଣ ହେଲା ପ୍ରତି ମାସରେ ବୈଠକ ନହେବା । ବାସ୍ତବରେ ସାରା ରାଜ୍ୟରେ କୌଣସି ଏନ୍ ଏ ସି, ମ୍ୟୁନିସପାଲିଟି, ଏପରିକି ମହାନଗର ନିଗମ କିମ୍ବା ବିଧାନସଭା ମଧ୍ୟ ନିୟମିତ ଭାବେ ଚାଲିପାରୁ ନଥିବା ବେଳେ ଏହି ଅବାସ୍ତବ କାରଣକୁ ନେଇ ରାଜ୍ୟ ସରକାର ଯେଉଁଭଳି ଅନୈତିକ ଭାବେ ଲୋକଙ୍କ ଦ୍ୱାରା ସିଧା ସଳଖ/ପ୍ରତ୍ୟକ୍ଷ ଭାବେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବହିଷ୍କାର କଲେ ଭୁବନବାସୀ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ସରକାରଙ୍କର ଏହି ଜନ ବିରୋଧୀ/ ସମ୍ବିଧାନ ବିରୋଧୀ କାର୍ଯ୍ୟ ଭୁବନବାସୀଙ୍କ ସ୍ବାଭିମାନ ପ୍ରତି କୁଠାରଘାତ ସଦୃଶ ହେଲା । ଆମେ ଭୂବନିଆଁ, ନୁହେଁ ଅମାନିଆ, ଭୁବନ ଆମର ଗର୍ବ ବୋଲି ନିଜକୁ ମନେ କରୁଥିବା ଭୁବନବାସୀଙ୍କ ପାଇଁ ସରକାରଙ୍କ ବହିଷ୍କାର ଆଦେଶକୁ ଶୁଭେନ୍ଦୁ ସାହୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଦୀର୍ଘ ୫ ମାସ ପରେ ରାଜ୍ୟପାଳଙ୍କ ବହିଷ୍କାର ଆଦେଶକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ୭ ରୁ ୭୦ ସଭିଙ୍କ ପ୍ରିୟ ମୁନାଭାଇ ପୁନର୍ବାର ନଗରପାଳ ହେବେ ଏଥିପାଇଁ ଭୁବନବାସୀ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଏହା ଧର୍ମର ଜୟ, ସମଗ୍ର ଭୁବନବାସୀଙ୍କ ବିଜୟ ଓ ବିଜୁ ଜନତା ଦଳର ବିଜୟ ବୋଲି କହିବା ସହ ଭୁବନର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢେଇ ଜାରି ରହିବ ବୋଲି ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲ୍ଲା ବିଜେଡି ସଭାପତି ଡଃ. ନୃସିଂହ ଚରଣ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ( ଡୁଗୁ), ସାଂସଦ ପ୍ରାର୍ଥୀ ଡଃ. ଅବିନାଶ ସାମଲ ଏବଂ ପୂର୍ବତନ ସାଂସଦ ମହେଶ ସାହୁଙ୍କୁ ଅଭିନନ୍ଦନ, କୃତଜ୍ଞତା ଜଣାଇବା ସହିତ ଦ୍ଵିତୀୟ ଇନିଂସ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande