



ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ପୁଇଁତଲା ବ୍ଲକ ଅନ୍ତର୍ଗତ ବହଲପଦର ଦମୟନ୍ତୀ ହାଇସ୍କୁଲ ପରିସରରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର କ୍ଷେତ୍ରୀୟ ବ୍ୟବସାୟ କାର୍ଯ୍ୟାଳୟ,ବଲାଙ୍ଗୀର ତରଫରୁ ଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ ର କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି (ସିଏସଆର) ଅଭିଯାନ ଅନୁସାରେ ଗ୍ରାମାଞ୍ଚଳର ଅର୍ଥନୈତିକ ଭାବେ ପଛୁଆ ପରିବାରର ଛାତ୍ରୀ ମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ବହଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ୪୬ ଜଣ ଛାତ୍ରୀଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷା ସମାଜ ଉନ୍ନତିର ମୂଳ ଆଧାର ବୋଲି କହିବା ସହ ଏହି ଉଦ୍ୟମ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଉପସ୍ଥାନ ହାର ବଢାଇବା ସହ ତାଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିବ ଏବଂ ଏହା ଛାତ୍ରୀ ମାନଙ୍କ ନୂଆ ସ୍ବପ୍ନର ଆରମ୍ଭ ବୋଲି କହିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଏସବିଆଇ ର କ୍ଷେତ୍ରୀୟ ପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରୀ ମାନଙ୍କ ପାଇଁ ସାଇକେଲ କେବଳ ଏକ ଯାତାୟତର ମାଧ୍ୟମ ନୁହେଁ, ଏହା ତାଙ୍କ ସ୍ବପ୍ନ ପୂରଣର ଏକ ମାଧ୍ୟମ ବୋଲି କହିବା ସହ ଛାତ୍ରୀମାନେ ଶିକ୍ଷାରେ ଆଗକୁ ବଢ଼ି ସମାଜରେ ସ୍ୱାବଲମ୍ବୀ ଓ ସଶକ୍ତ ନାଗରିକ ଭାବେ ପରିଚିତ ହେବେ ଓ ଆଗାମୀ ଦିନରେ ଏପରି ସାମାଜିକ କାର୍ଯ୍ୟକ୍ରମ ଆମେ ଜାରି ରଖିବୁ ବୋଲି କହିଥିଲେ। ବହଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ବେଦବାକ ନିଜ ବକ୍ତବ୍ୟରେ ଦୂର ଗ୍ରାମରୁ ପ୍ରତିଦିନ ବିଦ୍ୟାଳୟକୁ ଆସିବାରେ ସାଇକେଲ ସହାୟକ ହେବ ବୋଲି କହିବା ସହ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏସବିଆଇ ସିଏମ ସନ୍ଦୀପ କୁମାର ବେହେରା, ଏସବିଆଇ ଏଚଆର ପ୍ରଦୀପ କୁମାର ସେଠ, ବହଲପଦର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦିଲୀପ କୁମାର ବାରିକ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରି ମେଶ୍ୱା ପ୍ରମୁଖ ମଂଚାସୀନ ଥିଲେ।ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ବେଦବାକ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ