
ନୂଆପଡ଼ା, ୨୬ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି l ବୈଠକ ଆରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକାର ରଶ୍ମିରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ l ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସ୍ୱୟଂପ୍ରଭା ସିଂହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଂଚଳର ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଇତ୍ୟାଦି ଯୋଜନାର ପ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ l କୃଷିବନୀକରଣ ଯୋଜନାରେ ରୋପଣ ହୋଇଥିବା ୬୩ ହେକ୍ଟର ଚାରାଗଛ ଗୁଡ଼ିକର ଉପଯୁକ୍ତ ସଂରକ୍ଷଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜଳଧାରା ଯୋଜନାରେ ୯୫ ଗୋଟି ପୋଖରୀ ଖନନ କାର୍ଯ୍ୟ ମାର୍ଚ୍ଚ ୦୫ ତାରିଖ ମଧ୍ୟରେ ସମ୍ପନ୍ନ କରିବା ଏବଂ ମନରେଗା ଯୋଜନାରେ କାର୍ଯ୍ୟକାରି ହେଉଥିବା ସମସ୍ତ ପ୍ରକଳ୍ପ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବୃଷ୍ଟିପୃଷ୍ଟ ଅଂଚଳର ବିକାଶ ଯୋଜନାରେ ସମସ୍ତ ୩୧୪ ଜଣ ହିତାଧିକାରୀଙ୍କ ସହାୟତା ରାଶିକୁ ମାର୍ଚ୍ଚ ମାସ ୧୫ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଅବସରରେ ପାଞ୍ଚଟି ବ୍ଲକର ପାଞ୍ଚ ଜଣ ସଫଳ ଚାଷୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଫେବୃଆରୀ ମାସ ପାଇଁ ବିଭାଗୀୟ କର୍ମଚାରୀ ମୁକେଶ ସୁନାନୀଙ୍କୁ ଶ୍ରେଷ୍ଠ କ୍ଷେତ୍ର କର୍ମଚାରୀ ଭାବରେ ସମ୍ମାନୀତ କରାଯାଇଥିଲା l
ବୈଠକରେ ଦେବବ୍ରତ ବିଶ୍ୱାଳ (ସହକାରୀ ନିର୍ଦ୍ଦେଶକ ମୃର୍ତ୍ତିକା ସଂରକ୍ଷଣ), ଦେଵପ୍ରିୟ ପାଣିଗ୍ରାହୀ (ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ) ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ