
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ସଦର ମହକୁମାର ଦୂର୍ଗାଗୁଡି ସାହି ସ୍ଥିତ ଦୂର୍ଗା ମନ୍ଦିରରୁ ସୁନା ଗହଣା ଚୋରୀ ଅଭିଯୋଗ। ମନ୍ଦିର ମୁଖ୍ୟ ଫାଟକ ଓ ଗର୍ଭ ଗୃହ ଫାଟକ ତାଲା ଭାଙ୍ଗି ମନ୍ଦିରରେ ଥିବା ଅଳଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଆଜି ଦୂର୍ଗା ମନ୍ଦିରର ନୀତିକାନ୍ତି ପାଇଁ ସକାଳୁ ପୂଜକ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ବେଳେ ପୂର୍ବରୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ସେହିପରି ମନ୍ଦିର ଗର୍ଭ ଗୃହର ଫାଟକ ତାଲା ମଧ୍ୟ ଭଙ୍ଗା ଯାଇଥିବା ଦେଖି ତୁରନ୍ତ ଏନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ଅବଗତ କରାଇଥିଲେ। ତେବେ କମିଟିର ସଦସ୍ୟ ମାନେ ମନ୍ଦିରରେ ପହଞ୍ଚି ଯାଞ୍ଚ କରିବା ବେଳେ ଦୂର୍ଗାଙ୍କ ପ୍ରତିମୂର୍ତ୍ତିରେ ପିନ୍ଧା ଯାଇଥିବା ସମସ୍ତ ଆଭୂଷଣ ଓ ଗହଣା ଠିକ ଠାକ ଥିବା ଦେଖିବାକୁ ପାଇଥିଲେ। କିନ୍ତୁ ମୂର୍ତ୍ତି ପାର୍ଶ୍ଵରେ ଥିବା ବାକ୍ସ ମଧ୍ୟରେ ରହିଥିବା ଅନ୍ୟ ଲକ୍ଷାଧିକ ଟଙ୍କାର ଅଳଙ୍କାର, ମଙ୍ଗଳ ସୂତ୍ର ଆଦିକୁ ଚୋର ଚୋରୀ କରିନେଇଥିବା ଜାଣିବାକୁ ପାଇ ତୁରନ୍ତ ଏନେଇ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମନ୍ଦିର ଅଞ୍ଚଳର ଏକ ପ୍ରସିଦ୍ଧ ଓ ପୁରାତନ ଏବଂ ପ୍ରତ୍ଯକ୍ଷ ମନ୍ଦିର ହୋଇଥିବା ବେଳେ ଲୋକଙ୍କ ଆସ୍ଥା ବିଶ୍ବାସ ସହ ଯୋଡି ହୋଇ ରହିଛି। ଆଜି ଯାଏଁ ଏଠାରେ ସେପରି କୌଣସି ଚୋରୀ ଘଟଣା ଘଟି ନଥିଲା। ଏହି ଚୋରୀ ହେବା ପାରେ ଲୋକଙ୍କ ମନକୁ ଆଘାତ ହେବା ସହ ଖୁବ ଶୀଘ୍ର ଦୋଷୀକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ