
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ଅଦ୍ଵେତ୍ୱ କୁମାର ପାତ୍ର ଏବଂ ଉପ ସଭାପତି ଡଃ. ସୁବ୍ରତ କୁମାର ସାହୁଙ୍କ ସମେତ ଅନ୍ୟ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲା ଗସ୍ତରେ ଆସି ପ୍ରଥମେ ମାଲକାନଗିରି ସଦର ସ୍ଥିତ ସର୍କିଟ ହାଉସ ରେ ପହଞ୍ଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହି ସମୟରେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର ସମସ୍ତ ନେତୃବୃନ୍ଦଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ। ପରେ ପାରେ ସମସ୍ତ ଅତିଥି ମାନଙ୍କୁ ଜିଲ୍ଲା ଶାଖା ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହାପରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ମାଲକାନଗିରି ସଦର ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ପାତ୍ର ଙ୍କ ସଭାପତିତ୍ୱ ରେ ଏହି ସଭାଟି ଅନୁଷ୍ଠିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟାର ସମାଧାନ, ଜିଲ୍ଲାକୁ ରେଳ ସଂଯୋଗୀକରଣ, ଆଦିବାସୀ ଭାଷାର ସଂରକ୍ଷଣ ଏବଂ ବହୁଳ ପ୍ରଚାର, ସ୍ୱାଭିମାନ ଅଞ୍ଚଳର ବିକାଶ, କୃଷିଜାତ ଦ୍ରବ୍ୟର ସଠିକ କ୍ରିୟାନ୍ଵୟନ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ପଦ୍ମନାଭ ସାମଲ, ଉପ ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଅକ୍ଷୟ କୁମାର ଦାସ, କେନ୍ଦ୍ରୀୟ ସଦସ୍ୟ ରବୀନ୍ଦ୍ର ବେଉରିଆ, ଜିଲ୍ଲା ଶାଖା ସଭାପତି ଦୁଷ୍ମନ୍ତ କୁମାର ଜେନା, ଉପ ସଭାପତି ଲମ୍ବୋଦର ତୁରୁକ, ସମ୍ପାଦକ ଅଶୋକ ମିଶ୍ର, ଜିଲ୍ଲା ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଡଃ. ସରୋଜ କୁମାର ଦାଶ, ରବୀନ୍ଦ୍ର କୁମାର ମହାରଣା, ସୁରେନ୍ଦ୍ର ମଲ୍ଲିକ, ନିରଞ୍ଜନ ପଣ୍ଡା, କାଳୁ ମହାରଣା, ବିଚିତ୍ରନନ୍ଦ ରାଉତ, ନୃସିଂହ ଚରଣ ମହାନ୍ତି, ଗୋପୀକୃଷ୍ଣ ପଟ୍ଟନାୟକ, ଜୟଦେବ ରାଉଳ, ଅଲେଖ ପ୍ରସାଦ ପାତ୍ର ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ଶାଖା ର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ। ଉତ୍କଳ ସମ୍ମିଳନୀକୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବାକୁ ସମସ୍ତେ ଏକ ସ୍ଵରରେ ମତ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ