
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲାରେ ଆଉ ନାହିଁ ମାଓ ଭୟ, ବିକାଶର ରାସ୍ତାରେ ଆଗକୁ ବଢୁଥିବା ବିଭିନ୍ନ ଦୁର୍ଗମ ଅଞ୍ଚଳର ଲୋକେ ବର୍ତ୍ତମାନ ମାଓ ଭୟରୁ ନିଜକୁ ବାହାର କରିବା ସହ ଜିଲ୍ଲାର ଘନବେଡା, ଖଜୁରୀଗୁଡା ଭଳି ବିଭିନ୍ନ ଗ୍ରାମରେ ମାଓ ସଙ୍ଗଠନ ନିର୍ମାଣ କରିଥିବା ୨୦ଟି ସହିଦ ସ୍ତମ୍ବକୁ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି । ଦିନକୁ ଦିନ ଦୁର୍ବଳ ହୋଇ ଶେଷ ନିଶ୍ଵାସ ନେଉଥିବା ମାଓ ସଙ୍ଗଠନ ନିଜର ଅସ୍ତିତ୍ଵ ହରାଉଥିବା ବେଳେ ବର୍ତ୍ତମାନ ସାଧାରଣ ଜନତା ମଧ୍ୟ ମାଓ ସଙ୍ଗଠନର ଭୟରୁ ନିଜକୁ ମୁକଳାଇଛନ୍ତି। ପୂର୍ବରୁ ମାଲକାନଗିରି ଜିଲ୍ଲା ଏକ ମାଓ ଗଡ ଭାବେ ପରିଚିତ ଥିବାବେଳେ ବର୍ତ୍ତମାନ ଜିଲ୍ଲାରେ ମାଓ ସଙ୍ଗଠନର ମୁଳତ୍ପାଟନ ହୋଇଛି। ଯାହା ଫଳରେ ମାଓବାଦୀ ମାନଙ୍କ ଚରାଭୁଇଁ ପାଲଟିଥିବା ଅନେକ ଗ୍ରାମରେ ବର୍ତ୍ତମାନ ଗ୍ରାମବାସୀ ମାଓ ଭୟରୁ ଦୂରେଇ ମାଓବାଦକୁ ବିରୋଧ କରିବା ସହ ସେମାନେ ତିଆରି କରିଥିବା ମାଓ ସ୍ତୂପକୁ ନିଜେ ଭାଙ୍ଗିଛନ୍ତି ଗ୍ରାମବାସୀ। କିଛି ଏପରି ଚିତ୍ର ଆସିଛି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସହ କାଲିମେଳା, ମାଥିଲି, ଖଇରପୁଟ ଆଦି ବିଭିନ୍ନ ସ୍ଥାନରୁ। ଯେଉଁଠାରେ ଗ୍ରାମବାସୀମାନେ ସ୍ଵେଚ୍ଛାକୃତ ଭାବରେ ମାଓ ସ୍ମାରକ ତଥା ସହିଦ ସ୍ତମ୍ବ ଭାଙ୍ଗି ନଷ୍ଟ କରି ଶାନ୍ତି ଏବଂ ବିକାଶର ବାର୍ତ୍ତା ଦେଇଛନ୍ତି। ଏହି ସବୁ ଅଞ୍ଚଳରେ ପୂର୍ବରୁ ମାଓବାଦୀଙ୍କ ଦ୍ଵାରା ସ୍ଥାପିତ ମୋଟ ୨୦ଟି ସହିଦ ସ୍ତମ୍ଭ ଭାଙ୍ଗିଛନ୍ତି ଗ୍ରାମବାସୀ। ଗ୍ରାମବାସୀମାନେ ସାମୂହିକ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେଇ ମାଓବାଦକୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛନ୍ତି। ମାଓବାଦୀ ମାନେ କେବଳ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ମୌଳିକ ସୁବିଧା ମିଳିବାରେ ବାଧା ସୃଷ୍ଟି କରି ଆସୁଥିଲେ ଏବଂ ବିକାଶକୁ ଅଟକାଇ ଦେଇଥିଲେ ବୋଲି ଗ୍ରାମବାସୀ ମାନେ ପରିଶେଷରେ ଜାଣିବା ପରେ ଏହି ନିଷ୍ପତ୍ତି ନେଇଥିଲେ।
ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ଯେ, ଗତ କିଛି ବର୍ଷ ଧରି, ଜିଲ୍ଲା ପୋଲିସ ଦ୍ୱାରା ନାଗରିକ ପ୍ରଶାସନ ସହିତ ସମନ୍ୱୟରେ ନିରନ୍ତର ପ୍ରୟାସ ଫଳରେ ବର୍ତ୍ତମାନ ସାଧାରଣ ଜନତା ମାଓ ଭୟରୁ ଦୂରେଇ ଶାନ୍ତିର ସହ ବିକାଶର ତାଳେ ତାଳେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ମାଲକାନଗିରି ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବାର ପୃଷ୍ଠଭୂମିରେ ଏହି ଚିତ୍ର ଏକ ସକାରାତ୍ମକ ସୂଚନା ଦେଇଛି। ଏନେଇ ଜିଲ୍ଲା ଏସପି ବିନୋଦ ପାଟିଲ ପ୍ରକାଶ କରିଛନ୍ତି ଯେ, ଲୋକମାନେ ସଂଘର୍ଷ ଏବଂ ବିଚ୍ଛିନ୍ନତା ଅପେକ୍ଷା ବିକାଶ, ଶାନ୍ତି ଏବଂ ସୁଯୋଗ ଚାହାଁନ୍ତି। ମାଲକାନଗିରି ପୋଲିସ ଶାନ୍ତି ବଜାୟ ରଖିବା, ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିକାଶକୁ ପ୍ରୋତ୍ସାହିତ କରୁଥିବା ସମସ୍ତ ପଦକ୍ଷେପକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ପାଟିଲ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ