
ପୁରୀ, ୨୬ ଫେବୃଆରୀ (ହି.ସ.)- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଆଜି ଠାରୁ ପୁରୀ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ଗ୍ରାମ୍ୟ ଯୁବ ଏକତା ଶିବିର ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ପିଲା ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଯେ କୌଣସି ରାଷ୍ଟ୍ର କୁ ସମୃଦ୍ଧ କରିଥାଏ । ଆଜିର ସମୟରେ ନିଜକୁ ପ୍ରତିଷ୍ଠିତ ଓ ଦକ୍ଷତା ପୂର୍ଣ୍ଣ କରିବାକୁ ଅନେକ କ୍ଷେତ୍ର ରହିଛି। ଶିକ୍ଷା ସହ କ୍ରୀଡା, ନୃତ୍ୟ, ସଂଗୀତ, ପର୍ଯ୍ୟଟନ, ସଂସ୍କୃତି, ସୂଚନା ପ୍ରସାରଣ ଇତ୍ୟାଦି ପାଇଁ ପ୍ରଶସ୍ତ ଭିତ୍ତିଭୂମି ରହିଛି।ଏହା ସମ୍ପର୍କରେ ପିଲା ମାନେ ଅବଗତ ଓ ଅଧ୍ୟବସାୟୀ ହେବା ଆବଶ୍ୟକ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ପର୍କରେ ମତ ଦେଇ ଶ୍ରୀ ବେହେରା କହିଥିଲେ ଯେ, ଲୌହ ମାନବ ନାମରେ ପରିଚିତ ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମ ଯୋଗୁ ସ୍ବାଧୀନତା ପରେ ଶହ ଶହ ଗଡଜାତ ରାଜ୍ୟ ଭାରତ ବର୍ଷରେ ମିଶିବା ସମ୍ଭବ ହୋଇ ପାରିଥିଲା। ତାଙ୍କର ଦେଶପ୍ରେମ ଓ ସାହସ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଥିବ ବୋଲି ସେ କହିଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାବଳୀ, ରଥଯାତ୍ରା ସମୟରେ ବିଭାଗର ଦାୟିତ୍ୱ ଓ ସୂଚନା ସେବା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି ବିବିଧ ସେବା କାର୍ଯ୍ୟରେ ପିଲା ମାନଙ୍କ ସହଭାଗିତା ଓ ଶିକ୍ଷା ଲାଭ, ଯୁବ ନେତୃତ୍ୱ ସମ୍ପର୍କରେ, ଶିଶୁ ସୁରକ୍ଷାର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୁଭ ନାରାୟଣ ଶତପଥୀ ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ, ଅଗ୍ନିଶମ ସେବା ଅଧିକାରୀ ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିବିଧ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଥଇଥାନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା, ସ୍ବାସ୍ଥ୍ୟ ନିରାପତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ୱିତୀୟ ଦିନ ପୂର୍ବାହ୍ନରେ ସମୁଦ୍ର କୂଳ ସଫା କାର୍ଯ୍ୟକ୍ରମ ଓ ଯୁବ ସ୍ବେଚ୍ଛାସେବୀ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ। ଶିବିରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ