



ସମ୍ବଲପୁର, ୨୭ ଫେବୃଆରୀ (ହି.ସ.)- ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅବରୋଧ କରି ସେଠାରେ ବିଶାଳ ଜଳ ପ୍ରକଳ୍ପ ଆରମ୍ଭ କରିଛି । ତତ୍କାଳୀନ ଓଡ଼ିଶାର ନବୀନ ସରକାରଙ୍କ ବହୁ ବିଳମ୍ବରେ ନିଦ ଭାଙ୍ଗିବା ପରେ ସେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରର ପାଣି ଅବରୋଧକୁ ବିରୋଧ କରିଥିଲେ । ମାତ୍ର ସେତେବେଳକୁ ଛତିଶଗଡ଼ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ଏକାଧିକ ଜଳ ପ୍ରକଳ୍ପ ସହ ତାପଜ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିଲା । ଓଡ଼ିଶା ସରକାର ଦୀର୍ଘ ବର୍ଷ ଧରି ମହାନଦୀ ପାଣିର ସଠିକ୍ ବିନିଯୋଗ କରିବାରେ କୌଣସି ବିଧିବଦ୍ଧ ଯୋଜନା କରିବାରେ ଆନ୍ତରିକତା ରଖିନଥିଲେ ମଧ୍ୟ ପଡ଼ୋଶୀ ଛତିଶଗଡ଼ ସରକାର ମହାନଦୀ ପାଣିକୁ ଉପର ମୁଣ୍ଡରେ ବେଆଇନ ଅବରୋଧ କରିବା ଘଟଣାରେ ପ୍ରତିବାଦ ଜଣାଇ କେନ୍ଦ୍ର ସରକାର ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି । ଏବେ ମହାନଦୀର ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯେଉଁ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି ଏହାର କ୍ଷେତ୍ର ପରିଦର୍ଶନ ସହ ସମାଧାନ ରିପୋର୍ଟ ପାଇଁ ଗୁରୁବାର ରାତ୍ରୀରେ ସମ୍ବଲପୁରରେ ପହଞ୍ଚିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ଏକ ୧୦ ଜଣିଆ ଟିମ୍ । ଜଷ୍ଟିସ ବେର୍ଲା ଏମ୍ ତ୍ରିବେଦୀ ଓ ଜଷ୍ଟିସ ରବି ରଞ୍ଜନଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ବୁର୍ଲାସ୍ଥିତ ଅଶୋକା ନିବାସରେ ରାତ୍ରୀ ଯାପନ କରିଥିଲେ । ଶୁକ୍ରବାର ସକାଳେ ଏହି ଟିମ୍ ହୀରାକୁଦ ଜଳଭଣ୍ଡାର, ବୁର୍ଲା ଷ୍ଟିଲ ଓ୍ବେ, ଚିପିଲିମା ତାପଜ ପ୍ରକଳ୍ପ, ଡେବ୍ରିଗଡ ଓ ମା ଘଣ୍ଟେଶ୍ବରୀଙ୍କ ପୀଠ ପରିଦର୍ଶନ କରି ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବେ । କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ଓଡ଼ିଶାର ସ୍ୱାର୍ଥକୁ କୌଣସି ପରିସ୍ଥିତିରେ ଅବହେଳା କରାଯିବ ନାହିଁ ବୋଲି କହିଛନ୍ତି ଟିମ୍ ସଦସ୍ୟ ଏଜି ପିତାମ୍ବର ଆଚାର୍ଯ୍ୟ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ