

ସମ୍ବଲପୁର, ୨୭, ଫେବ୍ରୁଆରୀ (ହି.ସ.)
ପୂର୍ବତନ ବିଧାୟିକା ସ୍ୱର୍ଗତ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସସ୍ ନେଟୱାର୍କ (ସ୍କାନ) ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି I ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ, ପରୋପକାରୀ, ସ୍ୱାଧୀନଚେତା, ସେବା ତଥା ତ୍ୟାଗର ନିଦର୍ଶନ, ମହିୟସୀ ଜନନାୟିକା, ଲବ୍ଧ ପ୍ରତିଷ୍ଠିତ ସୁନାମଧନ୍ୟା ଦିବଙ୍ଗତ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୃତିଚାରଣ ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି I ତାଙ୍କ କର୍ମମୟ ଜୀବନର ସେବା ଓ ତ୍ୟାଗକୁ ବର୍ଣନା କରିବାକୁ ଗଲେ ଶଦ୍ଧ ସରାଂଚନାର ଅଭାବ ପଡ଼ିଯିବ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ I ଏହି ଅବସରରେ ଶାନ୍ତିନଗର ରାସ୍ତାକୁ ଡାକ୍ତର ରାସେଶ୍ୱରୀ ମାର୍ଗ ନାମରେ ନାମିତ କରିବାକୁ ଉପସ୍ଥିତ ବୁଦ୍ଧିଜୀବି ଗଣ ଦାବି ରଖିଥିଲେ I ସ୍କାନର ଅଧକ୍ଷ ସୁଧାଂଶୁ ଶେଖର ମହାରଣା ଏହି ସଭାରେ ଅଧକ୍ଷତା କରି ପ୍ରତି ବର୍ଷ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଉ ଥିବା ସ୍କାନ ସେବା ସମ୍ମାନକୁ ଆଗାମୀ ବର୍ଷ ଠାରୁ 'ଡାକ୍ତର ରାସେଶ୍ୱରୀ ସେବା ସମ୍ମାନ' ନାମରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ I ବିଶିଷ୍ଠ ବକ୍ତାଗଣଙ୍କ ମଧ୍ୟରେ ସାମ୍ବାଦିକ ରତ୍ନାକର ଭୋଇ, ଶଙ୍କର ବେହେରା, ଅଜୟ ନାଥ, ରାଜେଶ ବିଭାର, ନରେଶ ସେଠ୍, ଗୌତମ ମିଶ୍ର, ପ୍ରଭୁ ଦତ୍ତ ପୂଜାରୀ, ରାଧେଶ୍ୟାମ ବର୍ମା, ସୁଶାନ୍ତ ମହାପାତ୍ର, ଚନ୍ଦ୍ରଚୂଡ଼ ସିଂ, ଦୁଲାଲ ଚନ୍ଦ୍ର ରାୟ ଏବଂ ସହରର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ରାଜଲଷ୍ମୀ ପ୍ରଧାନ, ବବ୍ରୁ ବାହନ ଭୋଇ, ମହେଶ୍ୱର ପଣ୍ଡା, ଅମ୍ବୁଜ ନାୟକ, ସଞ୍ଜୟ ମହାପାତ୍ର, ମାମି ନାୟକ, ହର ପାଣି, ଅଶ୍ବିନୀ ପାଢ଼ୀ, ନିଶିକାନ୍ତ ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ପ୍ରାରମ୍ଭରେ ସ୍ୱର୍ଗତ ରାସେଶ୍ୱରୀ ପାଣିଗ୍ରାହୀଙ୍କ ତୈଲ୍ୟ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଅନୁଷ୍ଠାନର ସମ୍ପାଦକ କୁଳ ଶେଖର ବାରିକ, ପ୍ରକଳ୍ପ ସଂଯୋଜକ ସୂର୍ଯ୍ୟ ପଣ୍ଡା ସହଯୋଗ କରିଥିବା ବେଳେ ସଂଯୋଜକ ସରୋଜ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ