
ବ୍ରହ୍ମପୁର, ୨୭ ଫେବୃଆରୀ (ହି.ସ.)- ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା କମାପଲ୍ଲୀ ରାମ ନଗର ୨ ସ୍ଥିତ ଅନୁଷ୍ଠାନର ସଭାପତି ରାଧା ଚରଣ ନାୟକଙ୍କ ସଭାପତିତ୍ବରେ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ଉପସଭାପତି ଡ଼ାକ୍ତର ପ୍ରାଣ ଚାନ୍ଦ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ପ୍ରାରମ୍ଭରେ ସଭାପତି ଶ୍ରୀ ନାୟକଙ୍କ ପତ୍ନୀ ଶ୍ରୀମତୀ
ସ୍ନେହପ୍ରଭା ନାୟକ ହସ୍ପିଟାଲ ଆଇସିୟୁରେ ରହି ଚିକିତ୍ସାଧୀନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ଏହି ଅବସରରେ ବିଶ୍ବ ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ସାହିତ୍ୟିକ, କବି, ନାଟ୍ୟକାର ଗବେଷକ ସମାଜସେବୀ ମାନଙ୍କୁ ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ତେଣୁ ଜିଲ୍ଲା ପାଳ ଏବଂ ପ୍ରଶାସନଙ୍କୁ ଭୂୟସୀ ପ୍ରଶଂସା କରାଯାଇ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନୁଷ୍ଠାନର ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପୁରସ୍କୃତ ହୋଇଥିବାରୁ ତାଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ସଭା ଅବସରରେ ଓ୍ବାରଲ୍ଡ ଓବେସିଟି ସଚେତନତା କାର୍ଯ୍ୟକ୍ରମ ଜରିଆରେ ସ୍ବାସ୍ଥ୍ୟ ପରାମର୍ଶ ଦାତା ଶ୍ରୀମତୀ ରିତାଞ୍ଜଳୀ ପଣ୍ଡା ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଦିନଚର୍ଯ୍ୟା, ସଂତୁଳିତ ଖାଦ୍ୟ , ଚିନ୍ତା ମୁକ୍ତ ରହିବା ପାଇଁ ପରାମର୍ଶ ପ୍ରଦାନ କରି କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଅନୁଷ୍ଠିତ ସଭା ଅବସରରେ ଅନୁଷ୍ଠାନର ନୂତନ ସଦସ୍ୟତା ଗ୍ରହଣ କରିଥିବା ବଳରାମ ପ୍ରଧାନ ଏବଂ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ, କୋଷାଧ୍ୟକ୍ଷ ଲଡୁକେଶ ମିଶ୍ର ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଙ୍କ ସମେତ ବିଜୟ କୁମାର ସାହୁ,ସୁବାଷ ଚନ୍ଦ୍ର ପାଢୀ, ସଦାଶିବ ପାଣିଗ୍ରାହୀ, ଇ. ଦିଲେଷୁ ରେଡ୍ଡୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଲଡୁ କେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ