
ସମ୍ବଲପୁର, ୨୭, ଫେବ୍ରୁଆରୀ (ହି.ସ.) ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିର ବର୍ତ୍ତମାନର ଅବସ୍ଥାକୁ ନେଇ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଓଡି଼ିଶା ସାଂସ୍କୃତିକ ସମାଜର କାର୍ଯ୍ୟକାରୀ କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ବେଳେ କୁହାଯାଇଛି ଯେ ରାସ୍ତା ଅତିକ୍ରମ କରି ଏକ ନାଳ ଓ କଲଭର୍ଟ ନିର୍ମାଣ ପରେ ପ୍ରତିମୂର୍ତ୍ତି ଥିବା ସ୍ଥାନର ଉଭୟ ପାର୍ଶ୍ୱରେ ରାସ୍ତା ର ଉଚ୍ଚତା ଯଥେଷ୍ଟ ବୃଦ୍ଧି ପାଇଛି। ମାତ୍ର ପ୍ରତିମୂର୍ତ୍ତି ଟି ତଳେ ରହିଯାଇଛି ତଥା ସ୍ଥାନଟି ଏକ ଅପନ୍ତରା ସ୍ଥଳରେ ପରିଣତ ହୋଇଛି । ପ୍ରତ୍ଯହ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଓ ବୁଢା଼ରଜା ପଟୁ ଆସୁଥିବା ଲୋକେ ପ୍ରତିମୂର୍ତ୍ତି ର ଦଶା ଦେଖି ମ୍ରିୟମାଣ ହୋଇ ପଡୁଛନ୍ତି। ଓଡି଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଏ ବାବଦରେ ମହାନଗର ନିଗମ କୁ ଦାବିପତ୍ର ଦିଆଯାଇଥିଲା। ପ୍ରତିମୂର୍ତ୍ତି କୁ ଅଧିକ ଉଚ୍ଚତାରେ ସ୍ଥାପିତ କରିବା ସହ ପରିସରର ସୈ।ନ୍ଦର୍ଯ୍ଯ ବୃଦ୍ଧି ପାଇଁ ଏଥିରେ ଧ୍ଯାନ ଆକର୍ଷଣ କରାଯାଇଥିଲା । ମାତ୍ର ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଆସନ୍ତା ଏପ୍ରିଲ ୧୧ ରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଜୟନ୍ତୀ ପାଳନ କରାଯିବ । ତେଣୁ ତା' ପୂର୍ବରୁ କାମଟି ହେଇଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରାଯାଇଛି ।ଅନୁଷ୍ଠାନ ର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ସମ୍ପାଦକ ଦିନବନ୍ଧୁ ପଣ୍ଡା ଗତ ମାସରେ ଗୃହୀତ ପ୍ରସ୍ତାବ ଉପରେ ନିଆଯାଇଥିବା ପଦକ୍ଷେପ ର ବିବରଣୀ ଉପସ୍ଥାପନ କରିଥିଲେ । ଲଳିତ ମୋହନ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ