ଖରା ମାସ ଆରମ୍ଭ ନହେଉଣୁ କମ୍ପାନୀଗୁମା ଗ୍ରାମରେ ପାଣି ସମସ୍ୟା
ନୂଆପଡ଼ା,୨୭ ଫେବୃଆରୀ (ହି.ସ.)- ପାଣି ମୁନ୍ଦାଏ ପାଇଁ ନାହିଁ ନଥିବାର ଅବସ୍ଥା।ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମ ପଂଚାୟତର କମ୍ପାନୀ ଗୁମା ଗ୍ରାମ ରେ ପାଣି ସମସ୍ୟା ଉତ୍କଟ, ଏଥିପାଇଁ ଲୋକେ ନାହିଁ ନଥିବାର ଅସ
Water problem


ନୂଆପଡ଼ା,୨୭ ଫେବୃଆରୀ (ହି.ସ.)- ପାଣି ମୁନ୍ଦାଏ ପାଇଁ ନାହିଁ ନଥିବାର ଅବସ୍ଥା।ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମ ପଂଚାୟତର କମ୍ପାନୀ ଗୁମା ଗ୍ରାମ ରେ ପାଣି ସମସ୍ୟା ଉତ୍କଟ, ଏଥିପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଗ୍ରାମକୁ ପାଂଚ ବର୍ଷ ତଳେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ରାଣୀମୁଣ୍ଡା ଗ୍ରାମର ଡ୍ୟାମ ପାଖରେ ଗଭୀର ନଳକୂପ ଖୋଲା ଯାଇଥିଲା ଓ କମ୍ପାନୀ ଗୁମା ରେ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା। ପ୍ରଥମ କିଛି ଦିନ ଅଳ୍ପ ଅଳ୍ପ ପାଣି ଆସୁଥିବା ବେଳେ ପରେ ଆଉ ଆସିଲା ନାହିଁ। ଏହି ଗ୍ରାମଟି ବହୁତ୍ ଉଚ୍ଚରେ ଥିବାରୁ ପାଣି ଆସୁ ନଥିବା ସନ୍ଦେହ କରାଯାଉଛି। ଗ୍ରାମରେ ଶହେ ରୁ ଉର୍ଦ୍ଧ ପରିବାର ଓ ପାଖାପାଖି ଚାରି ଶହ ଲୋକ ରହନ୍ତି। ଗ୍ରାମରେ ଛଅଟି ପଡ଼ା ଥିବା ବେଳେ ସବୁପଡାରେ ପାଣି ସମସ୍ୟା। ବିଶେଷ କରି ବସ୍ତି ପଡ଼ାରେ ପଚାଶ ପରିବାର ଥିବା ବେଳେ ଦୁଇଟି ନଳକୂପ ଅଛି। ତହିଁରୁ ଗୋଟିଏ ନଳକୂପରୁ ଖରାପ ପାଣି ବାହାରୁ ଥିବା ବେଳେ ଅନ୍ୟ ଗୋଟିଏ ନଳକୂପ ଉପରେ ପଡ଼ାବାସୀ ନିର୍ଭର କରନ୍ତି। ଏକ ନଳକୂପ ରେ ଭିଡ଼ ଜମୁଥିବା ବେଳେ ପାଣି ମଧ୍ୟ କମ ବାହାରିଥାଏ। ଗାଁ ର ମହିଳା ମାନେ ରାତି ଅଧରୁ ପାଣି ପାଇଁ ଜଗି ରହନ୍ତି। ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ କହୁଛନ୍ତି। ପାଣି ସମସ୍ୟା ସମାଧାନ ନହେଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀଏବେ ଖରା ଋତୁ ଆରମ୍ଭ ହେଉଛି। ଖରା ଆରମ୍ଭରେ ଯଦି ପାଣି ସମସ୍ୟା ଦେଖା ଦେଲାଣି ତାହାହେଲେ ଆଗକୁ ପରିସ୍ଥିତି କଣ ହେବ। ଗାଆଁ ଗାଆଁ ରେ ବସୁଧା ଯୋଜନାରେ ପାଣି ଯୋଗାଣ ବ୍ୟବସ୍ଥା କରା ଯାଇଥିବା ବେଳେ ଦୂର ଦୃଷ୍ଟି ଅଭାବରୁ କମ୍ପାନୀ ଗୁମାରେ ପାଣି ପହଂଚି ପାରୁନି। ଏଥିପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଯୋଜନା ଫେଲ୍ ମାରିଥିବାରୁ ବିଭାଗୀୟ ଅଧିକାରୀଙ୍କ ଖାମ୍ ଖିଆଲି ମନୋଭାବ ସ୍ପଷ୍ଟ ବାରି ହେଉଛି। ଏନେଇ ଖଡ଼ିଆଳ ବିଡ଼ିଓଙ୍କୁ ପଚାରିବାରୁ ଦିନକ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ସରକାରଙ୍କ କୋଟିକୋଟି ଟଙ୍କା ର ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଛି । ସ୍ଥାନୀୟ ବିଡ଼ିଓଙ୍କ ଅବଗତ ପରେ କମ୍ପାନୀ ଗୁମା ଗାଁ ବାସୀ ଙ୍କ ଜଳ ସଙ୍କଟ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande