
ସୁବର୍ଣ୍ଣପୁର, ୨୭ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବିଡିଓ ଗଙ୍ଗାରାମ ବୁଡେକ୍ଙ୍କ ଆର୍ଥିକ କ୍ଷମତାକୁ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ ତଥା ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ. ନୃପରାଜ ସାହୁ । ମଙ୍ଗଳବାର ବିଡିଓ ବୁଡେକଙ୍କ ସ୍ଥାନରେ ଜିଲାପାଳ ଡଃ. ସାହୁ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟସୁନ୍ଦର ରାଉତଙ୍କୁ ଏହି ଆର୍ଥିକ କ୍ଷମତା ସହ ତରଭା ଏବିଡିଓ - ଦାୟିତ୍ବ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ତରଭା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଠିକ୍ ଭାବେ ହୋଇ ପାରୁ ନଥିବା ବେଳେ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ବର୍ଷ ବର୍ଷ ଧରି ପ୍ରଦାନ କରୁ ନଥିଲେ ବିଡ଼ିଓ ଶ୍ରୀ ବୁଡେକ । ବିଭିନ୍ନ ସଂସ୍ଥା ମାନେ କାମ କରି ସାରିବା ପରେ ପ୍ରାପ୍ୟ ନପାଇ ହଇରାଣ ହେଉଥିଲେ। ପ୍ରଥମେ ବିଡିଓ ବୁଡେକ୍ଙ୍କ ନାମରେ ତରଭା ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଓ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ। ଏପରିକି ଅଭିଯୋଗ ହେଉଥିଲା ଯେ, ବିଡିଓ ଯନ୍ତ୍ରୀମାନଙ୍କୁ ଅଫିସରେ ସ୍ଥାନ ନଦେଇ ବାହାରେ ବସାଉଥିଲେ। ତାଙ୍କ ବ୍ୟବହାରରେ ଅଫିସର କର୍ମଚାରୀ ଅତିଷ୍ଠ ହୋଇ ପଡିଥିଲେ । ପ୍ରତିବାଦରେ ସେମାନେ ବୁଡେକ୍ଙ୍କ ଅଧିନରେ କାମ କରିବେ ନାହିଁ ବୋଲି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏଭଳି ସ୍ଥିତିରେ ନିଜର କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।
ସେପଟେ ବିଡିଓ ଶ୍ରୀ ବୁଡେକ୍ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଏଭଳି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ମୁଁ ଜାଣିନାହିଁ ଷ୍ଟେନୋଙ୍କ ଠାରୁ ମୁଁ ଏକ ଚିଠି ପାଇଛି। ବାପାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ମୁଁ ଶନିବାର ଠାରୁ ଭୁବନେଶ୍ବରରେ ଅଛି ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ