
ମାଲକାନଗିର,୦୧ ମାର୍ଚ୍ଚ(ହି.ସ.) – ଆଜି ମାଲକାନଗିରି ବଙ୍ଗାଳି ସମାଜ ତରଫରୁ ରାଧାନଗର ଏମଭି-୨୫ ଗ୍ରାମରେ ଅବସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଏମଭି- ୨୬ ଗ୍ରାମରେ ଗତ ଡିସେମ୍ବର ମାସରେ ହୋଇଥିବା ପୋଡ଼ାଜଳା ଘଟଣାରେ କ୍ଷତିଗ୍ରସ୍ତ ପରିବାର ମାନଙ୍କ ସକାଶେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ମାନଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଏମଭି -୨୬ ଗ୍ରାମର କ୍ଷତିଗ୍ରସ୍ତ ହୋଇଥିବା ୧୯୧ ଟି ପରିବାରର ମୁଖିଆମାନଙ୍କୁ ଯଥାକ୍ରମେ ୭୦ ହଜାର, ୫୦ ହଜାର ଏବଂ ୩୦ ହଜାର ଟଙ୍କା ଲେଖାଏଁ ଆର୍ôଥକ ସହାୟତା ରାଶି ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ, ରାଖେଲଗୁଡ଼ା ଗ୍ରାମର ସ୍ୱର୍ଗତ ଲାକେ ପଡ଼ିଆମିଙ୍କ ପୁତ୍ର ରବି ପଡ଼ିଆମୀଙ୍କୁ ମଧ୍ୟ ବଙ୍ଗାଳୀ ସମାଜ ତରଫରୁ ଏକ ଲକ୍ଷ ଟଙ୍କା ନଗଦ ରାଶି ବଙ୍ଗାଳୀ ସମାଜର କର୍ମକର୍ତା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି।
ଏହା ସହିତ ଆଗାମୀ ଦିନରେ ଉଭୟ ସମ୍ପ୍ରଦାୟର ଲୋକେ ଏକଜୁଟ ହୋଇ, ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ନିମନ୍ତେ ଭାଗିଦାରୀ ହେବା ଓ ଉକ୍ତ ଅଂଚଳ ତଥା ସମଗ୍ର ଜିଲ୍ଲାର ବିଭିନ୍ନ ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସବୁଦିନ ପାଇଁ ସୁନ୍ଦର ଓ ଚିରସ୍ଥାୟୀ ସୁସମ୍ପର୍କ ସ୍ଥାପନ ପାଇଁ ଆହ୍ୱାନ ଦିଆଯାଇଥିଲା। ବଙ୍ଗାଳୀ ସମାଜର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାରଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ, ମାଲକାନଗିରି ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ବଙ୍ଗାଳି ସମାଜ ଉପଦେଷ୍ଟା ତପନ କୁମାର ସାନା, ସାଧାରଣ ସମ୍ପାଦକ ସୁନୀଲ କୁମାର ବିଶ୍ୱାସ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନୀହାର ରାୟ,ମାଧବ ଚନ୍ଦ୍ର ସରକାର, ଜଗଦୀଶ ଢାଲି, ଉତମ ଓଝା, ନିମାଇଁ ଚନ୍ଦ୍ର ପାଲ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ